Categories: ଜାତୀୟ

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର, ସୋନିଆ-ରାହୁଲଙ୍କ ସମେତ ୪୩୦ ପ୍ରତିନିଧି ହେବେ ସାମିଲ

ନୂଆଦିଲ୍ଲୀ,୧୨ ।୫: ବେଶ କିଛି ବର୍ଷ ହେବ ପଛକୁ ପଛକୁ ଯାଇ ସତ୍ତା ହରାଇବା ପରିସ୍ଥିତିରେ ଥିବା କଂଗ୍ରେସ ଦଳ ଏବେ ଆତ୍ମମନ୍ଥନ କରିବାକୁ ବାହାରିଛି । ଉଦୟପୁରରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି । ଦଳର ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏଥିରେ ଉପସ୍ଥିତ ରହିବେ । ୧୩ ମେ’ରେ ଆରମ୍ଭ ହେବାକୁ ଯାଉଥିବା ଏହି ଚିନ୍ତନ ଶିବିରରେ କଂଗ୍ରେସର ୪୩୦ ପ୍ରତିନିଧି ସାମିଲ ହେବେ । ଏହି ଚିନ୍ତନ ଶିବିରରେ ସଙ୍ଗଠନକୁ ମଜଭୁତ କରିବାକୁ ନେଇ ଚର୍ଚ୍ଚା ହେବ ।

ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନ ଉଦୟପୁରରେ ହେଉଥିବା ଏହି ଚିନ୍ତନ ଶିବିରରେ କଂଗ୍ରେସ ଗୋଟିଏ ପରିବାର ଗୋଟିଏ ଟିକେଟ, ଜଣେ ବ୍ୟକ୍ତି ଗୋଟିଏ ପଦ, ପଛୁଆ, ଦୁର୍ବଳ ବର୍ଗଙ୍କୁ ପ୍ରତିନିଧିତ୍ୱ ଭଳି ବଡ ନିଷ୍ପତ୍ତି ନିଆଯାଇପାରେ । ଏହି ଶିବରରେ ଦଳର ଅଧ୍ୟକ୍ଷ ପଦକୁ ନେଇ କୌଣସି ଚର୍ଚ୍ଚା କରାଯିବ ନାହିଁ । ଏହାସହ ଦଳର ଅସନ୍ତୁଷ୍ଟ ନେତା ଆଶା କରିଛନ୍ତି ଯେ ଏହି ଶିବରରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦଳ କଡା ନିଷ୍ପତ୍ତି ନେଇପାରେ ।
ଏହି ଚିନ୍ତନ ଶିବିରକୁ ନେଇ କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି, ଯେଉଁ କଥା ଆମେ କହୁଥିଲୁ, ଆଶା କରାଯାଉଛି ଏହାର କୌଣସି ନିଷ୍ପତ୍ତି ଚିନ୍ତନ ଶିବିରରେ ନିଆଯାଇପାରେ । ୧୯ ବର୍ଷ ପରେ କଂଗ୍ରେସ ଏଭଳି ଚିନ୍ତନ ଶିବିର କରିଛି ଏହା ଏକ ଭଲ ନିଷ୍ପତ୍ତି । ସମସ୍ତ ବ୍ୟକ୍ତିଙ୍କୁ ନିଜ ନିଜର ମତ ବିନା କୌଣସି ବାଧାରେ ଉପସ୍ଥାପନ କରିବାର ସୁଯୋଗ ମିଳିବା ଦରକାର । ଆଶା କରାଯାଉଛି ଚିନ୍ତନ ଶିବିରରେ ସମସ୍ତ କଥାକୁ ଶୁଣାଯିବ ଯେଉଁଥିରେ ୨୦୨୪ରେ କଂଗ୍ରେସ ମଜଭୁତ ହେବ ।

Share