ବନ୍ଧୁକ ବିଲ୍‌ ଆମେରିକା କଂଗ୍ରେସରେ ଗୃହୀତ

ଓ୍ବାଶିଂଟନ,୨୫।୬: ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଲାଗି ଅଣାଯାଇଥିବା ଐତିହାସିକ ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ବୀକୃତି ପାଇଁ ପଠାଯାଇଛି। ଗୁରୁବାର ସିନେଟରେ ବିଲ୍‌ ସପକ୍ଷରେ ୬୫ ଓ ବିରୋଧରେ ୩୩ ଭୋଟ ପଡ଼ିଥିଲା। ଶୁକ୍ରବାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ୨୩୪-୧୯୩ରେ ବିଲ୍‌ ଗୃହୀତ ହୋଇଯାଇଛି। ବନ୍ଧୁକ ନିୟନ୍ତ୍ରଣ ଲାଗି କିଛିବର୍ଷ ଧରି ଡେମୋକ୍ରାଟ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଗତ ମାସରେ ନ୍ୟୁୟର୍କର ବୁଫାଲୋ ଏବଂ ଟେକ୍ସାସର ଉଭାଲ୍‌ଡେରେ ଗଣଗୁଳିକାଣ୍ଡ ପରେ ବନ୍ଧୁକ ସଂସ୍କୃତି ବିରୋଧରେ ବିକ୍ଷୋଭ କରାଯାଇଥିଲା। ସିନେଟରେ ସମସ୍ତ ଡେମୋକ୍ରାଟଙ୍କ ସହ ୧୫ ରିପବ୍ଲିକାନ ସଦସ୍ୟ ବନ୍ଧୁକ ନିୟନ୍ତ୍ରଣ ବିଲ୍‌କୁ ସମର୍ଥନ ଜଣାଇଥିଲେ। ନୂଆ ଆଇନ ବଳରେ କମ୍‌ ବୟସର ପିଲା ବନ୍ଧୁକ କିଣିବା ଉପରେ କଟକଣା ରହିବ। ଘରୋଇ ହିଂସାରେ ସମ୍ପୃକ୍ତ ଅପରାଧୀଙ୍କଠାରୁ ମାରଣାସ୍ତ୍ରକୁ ଦୂରେଇ ରଖାଯାଇପାରିବ। ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅସ୍ତ୍ରଶସ୍ତ୍ରକୁ କର୍ତ୍ତୃପକ୍ଷ ସହଜରେ ଜବତ କରିପାରିବେ। ସ୍କୁଲ୍‌ରେ ନିରାପତ୍ତା, ମାନସିକ ସ୍ବାସ୍ଥ୍ୟ ଏବଂ ହିଂସା ରୋକିବା ଦିଗରେ ସଚେତନତା ସୃଷ୍ଟି ନିମନ୍ତେ ସ୍ଥାନୀୟ କାର୍ଯ୍ୟକ୍ରମ ଲାଗି ପାଣ୍ଠିର ବ୍ୟବସ୍ଥା ରହିବ।

Share