ସାମ୍ ପିଟ୍ରୋଡାଙ୍କୁ ପୁନଃ ବିଦେଶ ମୁଖ୍ୟ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୬: ସାମ ପିଟ୍ରୋଡାଙ୍କୁ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରିଛି। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ, ”ପୂର୍ବ ଭାରତୀୟମାନେ ଚାଇନିଜ ଭଳି ଏବଂ ଦକ୍ଷିଣ ଭାରତୀୟମାନ ଆଫ୍ରିକୀୟ ଭଳି ଦେଖାଯାନ୍ତି।”

କଂଗ୍ରେସ ସଭାପତି ସାମ୍ ପିଟ୍ରୋଡାଙ୍କୁ ପୁନଃ କଂଗ୍ରେସ ବିଦେଶ ମୁଖ୍ୟ ନିଯୁକ୍ତ କରିଛନ୍ତି ଏବଂ ଏହା ତତ୍କାଳ ପ୍ରଭାବ ସହିତ କାର୍ଯ୍ୟକାରୀ ହେଲା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କେ.ସି ଭେନୁଗୋପାଳ।

”ଆମେ ଭାରତ ଭଳି ବିବିଧ ଦେଶକୁ ଏକାଠି ରଖିପାରିବା – ଯେଉଁଠାରେ ପୂର୍ବର ଲୋକମାନେ ଚାଇନିଜ୍, ପଶ୍ଚିମରେ ଲୋକମାନେ ଆରବ ଭଳି ଦେଖାଯାଆନ୍ତି, ଉତ୍ତରରେ ଲୋକମାନେ ବୋଧହୁଏ ଧଳା ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି। ଏଥିରେ କିଛି ଫରକ ପଡେ ନାହିଁ। ସମସ୍ତେ ଭାଇ ଓ ଭଉଣୀ ଅଟନ୍ତି ବୋଲି ”ଦି ଷ୍ଟେଟମ୍ୟାନ”କୁ ଏକ ସାକ୍ଷାତକାର ଦେଇ ପିଟ୍ରୋଡା କହିଥିଲେ।

ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଘନେଇବା ପରେ କଂଗ୍ରେସ ଏହି ପ୍ରସଙ୍ଗରୁ ନିଜକୁ ଦୁରେଇ ରଖିଥିଲା। ପିଟ୍ରୋଡ଼ାଙ୍କ ମତ ସହିତ କଂଗ୍ରେସ ଏକମତ ନୁହେଁ ବୋଲି ଜୟରାମ ରମେଶ କହିଥିଲେ।

ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ତୀବ୍ର ସମାଲୋଚନା କରି ସେମାନଙ୍କୁ ଜାତିବାଦୀ ଏବଂ ବିଭାଜନକାରୀ ବୋଲି କହିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ତାଙ୍କ ସହଯୋଗୀ ପିଟ୍ରୋଡାଙ୍କ ୱେଭଲ ନିଚ୍ଚ ମନ୍ତବ୍ୟ ପାଇଁ ନିନ୍ଦା କରିଥିଲେ।

Share