Categories: ଜାତୀୟ

ରାଜନୈତିକ ପରମ୍ପରା ରହିଲା ବଜାୟ: ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲାନି କଂଗ୍ରେସ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଦଳଗୁଡିକ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଥିବାବେଳେ ମୁଲାୟମ ଏବଂ ଗାନ୍ଧୀ ପରିବାର ବର୍ଷ ବର୍ଷ ଧରି ୟୁପିରେ ନିଜର ରାଜନୈତିକ ବନ୍ଧୁତା ବଜାୟ ରଖିଛନ୍ତି। ମଙ୍ଗଳବାର କଂଗ୍ରେସ ନିଜ ପ୍ରାର୍ଥୀ କରହଲ, ଜ୍ଞାନବତୀ ଯାଦବଙ୍କୁ ନିର୍ବାଚନ ଲଢେଇରୁ ହଟାଇ ଦେଇଛି। ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ଲଢୁଛନ୍ତି। ସେ ଗତ ସୋମବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ବିରୋଧରେ ଭାଜପା କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବାଘେଲଙ୍କୁ ପ୍ରାର୍ଥୀ କରିଛି।
ଆଜି ନାମାଙ୍କନ ପତ୍ରର ଶେଷ ଦିନ ଥିଲା। ଆଜି କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ କରହଲ ଆସନରୁ ନାମାଙ୍କନ ଦାଖଲ କରି ନ ଥିଲା। ପୂର୍ବରୁ ଦଳର ପ୍ରାର୍ଥୀ ତାଲିକାରେ କରହଲରୁ ଜ୍ଞାନବତୀ ଯାଦବଙ୍କୁ ଟିକେଟ ଦେଇଥିଲା। ଅନ୍ୟପକ୍ଷରେ କଂଗ୍ରେସର କୌଣସି ପ୍ରାର୍ଥୀ ଜଶଓ୍ବନ୍ତନଗରରୁ ନାମାଙ୍କନପତ୍ର ଦାଖଲ କରିନାହାଁନ୍ତି। ମୁଲାୟମ ସିଂଙ୍କ ଭାଇ ଶିବପାଲ ସିଂ ଯାଦବ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପଟେ ସମାଜବାଦୀ ପାର୍ଟି ଆମେଠି ଏବଂ ରାଇବରେଲିରୁ ମଧ୍ୟ କୌଣସି ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇନାହିଁ।
ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ୨୦୦୯ରୁ ରାଇବରେଲି ଲୋକ ସଭା ଆସନରେ ସୋନିଆଙ୍କ ବିରୋଧରେ ପ୍ରାର୍ଥୀ ଦେଉନାହାଁନ୍ତି। ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ଏହି ଆସନରୁ ନିଜ ପ୍ରାର୍ଥୀ ଦେଇ ନ ଥିଲେ। ସେହିପରି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ, ଆମେଠିରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏସପି ପ୍ରାର୍ଥୀ ଦେଇନାହିଁ। ରାହୁଲ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏଠାରୁ ଏମ୍‌ପି ଥିଲେ କିନ୍ତୁ ୨୦୧୯ରେ ସେ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ।
୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭା ନିର୍ବାଚନରେ କଂଗ୍ରେସ ମେନପୁରୀରୁ ମୁଲାୟମ ସିଂ ଯାଦବଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେଇ ନ ଥିଲା। ୨୦୧୪ ନିର୍ବାଚନରେ ମେନପୁରୀ ଏବଂ ଆଜମଗଡରୁ ମୁଲାୟମ ସିଂ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଂଗ୍ରେସ ଆଜମଗଡରେ ନିଜର ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ମେନପୁରୀରେ ପ୍ରାର୍ଥୀ ଦେଇ ନ ଥିଲା। ୨୦୦୯ରେ କନୌଜ ଆସନରେ ଏବଂ ୨୦୧୯ରେ ଆଜମଗଡରେ କଂଗ୍ରେସ ଅଖିଳେଶ ଯାଦବଙ୍କ ବିରୋଧରେ କୌଣସି ପ୍ରାର୍ଥୀ କରି ନ ଥିଲା। ସେହିପରି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ବିରୋଧରେ ୨୦୧୪ ଏବଂ ୨୦୧୯ କନୌଜ ଲୋକ ସଭା ଆସନରୁ କଂଗ୍ରେସ କୌଣସି ପ୍ରାର୍ଥୀ କରି ନ ଥିଲା।

Share