Advertisement

କଂଗ୍ରେସର ରିସର୍ଟ ରାଜନୀତି

ପଣଜୀ,୧୦।୩(ପି.ଟି.): ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ଗୋଆରେ ସରକାର ଗଠନ କରିପାରି ନ ଥିଲା। ଏଥର ଯେପରି ସେଭଳି ସ୍ଥିତି ନ ଉପୁଜେ ସେଥିପାଇଁ ଏହି ସର୍ବପୁରାତନ ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ସେଥିପାଇଁ ଭୋଟ ଗଣତିର ଦୁଇଦିନ ପୂର୍ବରୁ କଂଗ୍ରେସ ଏହାର ସମସ୍ତ ପ୍ରାର୍ଥୀଙ୍କୁ ପଣଜୀ ନିକଟବର୍ତ୍ତୀ ବାମ୍ବୋଲିମ୍‌ ଗ୍ରାମରେ ଥିବା ଏକ ବିଳାସପୂର୍ଣ୍ଣ ରିସର୍ଟକୁ ନେଇଯାଇଛି।
ଝୁଲା ବିଧାନସଭା ହେବ ବୋଲି ବିଭିନ୍ନ ସଂସ୍ଥା ଏକ୍‌୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରିଛନ୍ତି। ତେଣୁ ଘୋଡ଼ାବେପାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କୌଣସି ଦଳୀୟ ପ୍ରାର୍ଥୀ ଭୋଟଗଣତି କେନ୍ଦ୍ରକୁ ଯିବା ଲାଗି ଅନୁମତି ଦିଆଯାଇ ନାହିଁ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଛାଡ଼ି କଂଗ୍ରେସ ଟିକେଟରେ ଲଢ଼ିଥିବା ମିଚେଲ ଲୋବୋ ଏହାକୁ ଖଣ୍ଡନ କରିଛନ୍ତି। ସବୁ ପ୍ରାର୍ଥୀ ଗଣନାକେନ୍ଦ୍ରକୁ ଯାଇପାରିବେ ବୋଲି ସେ କହିଛନ୍ତି। ରିସୋର୍ଟରେ ପ୍ରାର୍ଥୀଙ୍କୁ ଲୁଚାଇ ରଖାଯିବା ଖବରକୁ ମଧ୍ୟ କେତେଜଣ ଦଳୀୟ ନେତା ଅସ୍ବୀକାର କରିଛନ୍ତି। ସେମାନେ ବିରୋଧୀ ଦଳ ନେତା ଦିଗମ୍ବର କାମାତଙ୍କ ଜନ୍ମଦିନ ପାଳନ ଲାଗି ସେଠାକୁ ଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୭ ଏବଂ ଭାଜପାକୁ ୧୩ ଆସନ ମିଳିଥିଲା। ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ କଂଗ୍ରେସ ସରକାର ଗଢ଼ି ନ ପାରିବାରୁ ଭାଜପା ଅନ୍ୟ ଛୋଟ ଦଳ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିଥିଲା। ପରେ କଂଗ୍ରେସର ୧୫ ବିଧାୟକ ଭାଜପାରେ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share