Categories: ଜାତୀୟ

କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ: ଆଜାଦ୍‌

ଜମ୍ମୁ,୨୭।୨: ଦେଶର ସମସ୍ତ ଲୋକଙ୍କ ହିତ ପାଇଁ କାମ କରିବାକୁ କଂଗ୍ରେସ ସର୍ବଦା ତତ୍ପର। ଦଳ ସବୁ ଧର୍ମକୁ ସମ୍ମାନ ଦେଇଥାଏ। କଂଗ୍ରେସ ସମ୍ମୁଖରେ ସଭିଏଁ ସମାନ ବୋଲି ଜମ୍ମୁରେ ଆୟୋଜିତ ହୋଇଥିବା ୨ ଦିନିଆ ଶାନ୍ତି ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ୍‌ ଶନିବାର କହିଛନ୍ତି। ଏହି ସମ୍ମିଳନୀରେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀର ୨୩ଜଣ ନେତାଙ୍କ ମଧ୍ୟରୁ କେତେକ ଯୋଗଦେଇଛନ୍ତି। ଏହି ଅବସରରେ ରାଜ ବବର କଂଗ୍ରେସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ। ଗାନ୍ଧୀଙ୍କ ସଂକଳ୍ପ ନେଇ ଦଳ କାର୍ଯ୍ୟ କରିଥାଏ। ଆମକୁ ଜି-୨୩ ବୋଲି କୁହାଯାଉଛି। ପ୍ରକୃତ ପକ୍ଷେ ଆମେ ଗାନ୍ଧି-୨୩ ବୋଲି ସେ କହିଛନ୍ତି। ଶାନ୍ତି ସମ୍ମିଳନୀରେ ବରିଷ୍ଠ ନେତା କପିଲ ସିବଲ ଯୋଗଦେଇ ଗୁଲାମ ନବିଙ୍କୁ ପ୍ରଶଂସା କରି କହିଛନ୍ତି ଯେ, କଂଗ୍ରେସ ତାଙ୍କର ପ୍ରତିଭା ସମ୍ପର୍କରେ ଅବଗତ ନ ହେବା ଦୁଃଖର ବିଷୟ। ଗୁଲାମ ନବିଙ୍କ ଦକ୍ଷତାର ଉପଯୋଗ କରିବାରେ କଂଗ୍ରେସ ପଛେଇ ଯାଇଥିବା ସେ କହିଛନ୍ତି। କଂଗ୍ରେସକୁ ମଜବୁତ କରିବା ଲାଗି ଉଦ୍ୟଢ଼ କରାଯିବ ବୋଲି ମନୀଷ ତିଓ୍ବାରୀ ପ୍ରକାଶ କରିଛନ୍ତି। ଶାନ୍ତି ସମ୍ମିଳନୀରେ ଆନନ୍ଦ ଶର୍ମା, ଭୁପିନ୍ଦର ସିଂ ହୋଡ, ବିବେକ ଟଙ୍ଖା ପ୍ରମୁଖ ଯୋଗଦେଇଛନ୍ତି। ରବିବାର ଶାନ୍ତି ସମ୍ମିଳନୀ ଶେଷ ହେବ।

Share