Categories: ଜାତୀୟ

ଇସିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ନୂଆଦିଲ୍ଲୀ,୯ା୪: କଂଗ୍ରେସର ଇସ୍ତାହାରରେ ମୁସ୍‌ଲିମ ଲିଗ୍‌ର ନୀତି ଆଦର୍ଶ ପ୍ରତିଫଳିତ ହେଉଛି ଏବଂ ଏହାର ପ୍ରତ୍ୟେକ ପୃଷ୍ଠାରେ ଭାରତକୁ ଖଣ୍ଡ ଖଣ୍ଡ କରିବାର ଗନ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହା ବିରୋଧରେ ବରିଷ୍ଠ କଂଗ୍ରେସ ନେତାମାନେ ସୋମବାର ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ବିଭିନ୍ନ ଅଭିଯୋଗ କରିଛନ୍ତି। ପ୍ରତିନିଧି ଦଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ, ରାଜ୍ୟ ସଭା ସଦସ୍ୟ ମୁକୁଲ ଓ୍ବାସ୍‌ନିକ, ପଓ୍ବନ ଖେରା, ଗୁର୍‌ଦୀପ ସପ୍ପାଲ ନିର୍ବାଚନ ସଦନ ଯାଇ ଇସିର ଅଧିକାରୀମାନଙ୍କୁ ଭେଟିଥିଲେ। ଆଦର୍ଶ ଆଚରଣ ବିଧି (ଏମ୍‌ସିସି)ର ଉଲ୍ଲଂଘନ କରି ଭାଜପା ନିର୍ବାଚନ ପ୍ରଚାରରେ ସଶସ୍ତ୍ର ବଳର ବ୍ୟବହାର ଜାରି ରଖିଥିବା ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଥିରୁଭାନନ୍ଥପୁରମ୍‌ ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର ତାଙ୍କ ନିର୍ବାଚନ ସତ୍ୟପାଠରେ ଆର୍ଥତ୍କ ସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ନେଇ କଂଗ୍ରେସ ଅଭିଯୋଗ ଦାଏର କରିଛି।
ଦିଲ୍ଲୀ ୟୁନିଭର୍ସିଟିର ବିଭିନ୍ନ କଲେଜରେ ବିକଶିତ ଭାରତ @ ୨୦୪୭ ନାଁରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବଡ଼ ହୋର୍ଡିଂ ଓ ବ୍ୟାନର ଲଗାଯାଇଥିବାରୁ ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ସେହିପରି ୨୦୨୩ର ‘ ଦି କେରଲା ଷ୍ଟୋରି’ ନିକଟରେ ଦୂରଦର୍ଶନରେ ପ୍ରସାରିତ କରାଯିବାକୁ ନେଇ ମଧ୍ୟ କଂଗ୍ରେସ ଆପତ୍ତି ଉଠାଇଛି। ଏକ ଧର୍ମୀୟ ସମ୍ପ୍ରଦାୟକୁ ନିନ୍ଦା କରାଯିବାର ପରିକଳ୍ପନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି ଓ ଲଭ୍‌ ଜିହାଦ ଚିନ୍ତାଧାରାକୁ ବିଶ୍ୱସନୀୟତା ଦେଉଛି ବୋଲି କଂଗ୍ରେସ କହିଛି।
କଂଗ୍ରେସ ଇସ୍ତାହାରରେ ମୁସ୍‌ଲିମ୍‌ ଲିଗ୍‌ର ଛାପ ରହିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତୀବ୍ର ସମାଲୋଚନା କରିଛନ୍ତି। ଭାଜପା ନୀତି ଆଦର୍ଶର ଆଇକନ୍‌ ତଥା ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀ ସ୍ବାଧୀନତା ଆନ୍ଦୋଳନ ବେଳେ କଂଗ୍ରେସ ବିରୋଧରେ ବ୍ରିଟିଶକୁ ସମର୍ଥନ କରିଥିଲେ ବୋଲି ଖାର୍ଗେ କହିବା ସହ ମୋଦିଙ୍କ ଭାଷଣରେ ଆର୍‌ଏସ୍‌ଏସ୍‌ ଚିନ୍ତାଧାରାର ଗନ୍ଧ ରହିଛି ବୋଲି କହିଛନ୍ତି।

Share