କଂଗ୍ରେସର ରୋଡ୍‌ ଶୋ: ଷ୍ଟାର ପ୍ରଚାରକ ସାମିଲ

ଝାରସୁଗୁଡ଼ା ଅଫିସ,୨୪ା୫: ବ୍ରଜରାଜନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। କଂଗ୍ରେସର ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥୀ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ସାଙ୍ଗରେ ଧରି ପ୍ରଚାର ଚଳାଇଛନ୍ତି। ନେତୃବୃନ୍ଦ ସୋମବାର ଲଖନପୁର ବ୍ଲକ୍‌ ସୀମାନ୍ତ ୧୯ଖଣ୍ଡ ମୌଜା ଓ ସନ୍ଧ୍ୟାରେ ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ରୋଡ୍‌ ଶୋ କରି ପ୍ରଚାର କରିଥିଲେ। ସୁଖାସୋଢା ଗ୍ରାମ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ରୋଡ୍‌ ଶୋ ଗାଡି ବାହାରିଥିଲା। ଏହି ଗାଡ଼ି ସୁଖାସୋଢା, ସେମିଲିଆ, କଣ୍ଢେଇକେଲା, ମହୁଦି, ଚିଖିଲି, କିରିତିମାଲ, ସରଧା, ରେମତା ଆଦି ଗ୍ରାମ ପରିକ୍ରମା କରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗ୍ରାମରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳୀୟ ନେତୃବୃନ୍ଦ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପ୍ରଚାରରେ ପ୍ରାର୍ଥୀ ପଟେଲଙ୍କ ସମେତ ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ବିଧାୟକ ସନ୍ତୋଷ ସିଂସାଲୁଜା, ବିଧାୟକ ରାଜନ ଏକ୍କା, ବିଧାୟକ ଅଧ୍ୟାରାଜ ପାଣିଗ୍ରାହୀ, ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ସୁବ୍ରତ ପ୍ରଧାନ ଓ ବ୍ଲକ୍‌ ସଭାପତି ଲିଙ୍ଗରାଜ ବଢେଇ ପ୍ରମୁଖ ସାମିଲ ଥିଲେ ।

Share