ଜୟପୁର,୨୦।୭: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ତା’ର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦେଖି କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠନ କରାଯାଇଛି। ଗୁରୁବାର ଏହା ଘୋଷଣା କରାଯାଇଛି। ଏଥିରେ ଉଭୟ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ସମେତ ଚେୟାରମ୍ୟାନ ଓ ୨୯ଜଣ ସଦସ୍ୟ ଅଛନ୍ତି।
କମିଟିର ଅଧ୍ୟକ୍ଷ ଭାବେ ଗୋବିନ୍ଦ ସିଂ ଦୋଟାସରାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଜିତେନ୍ଦ୍ର ସିଂ, ସଚିନ ପାଇଲଟ, ରଘୁବୀର ମୀନା, ରମେଶ୍ୱର ଡୁଡି, ମୋହନ ପ୍ରକାଶ, ରଘୁ ଶର୍ମା, ହରିଶ ଚୌଧୁରୀ, ଲାଲଚାନ୍ଦ କଟାରିଆ, ମହେନ୍ଦ୍ର ଜିତ ମାଲଭିୟଙ୍କ ସମେତ ମୋଟ ୨୯ ଜଣଙ୍କୁ ସଦସ୍ୟ କରାଯାଇଛି।
ସଚିନ ପାଇଲଟଙ୍କୁ କମିଟିର ସଭାପତି ନ କରିବା ନେଇ ରାଜନୈତିକ ସର୍କଲରେ ଆଲୋଚନା ତୀବ୍ର ହୋଇଛି। ସୂଚନାଯୋଗ୍ୟ, ଅତୀତରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ମତଭେଦ ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ଉଦ୍ୟମ କରାଯାଇଥିଲା। ସଚିନ ପାଇଲଟ ମଧ୍ୟ ବୈଠକ ପରେ ବହୁତ ଖୁସି ଥିଲେ, ସେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ଆମକୁ ଏକାଠି ନିର୍ବାଚନ ଲଢିବାକୁ ହେବ।