ପାଟକୁରାରେ କଂଗ୍ରେସର ବିକ୍ଷୋଭ

ପାଟକୁରା,୨୧।୬(ଡି.ଏନ୍‌.ଏ.): ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିବା ପ୍ରତିବାଦରେ ମଙ୍ଗଳବାର ପାଟକୁରା କଂଗ୍ରେସ ପକ୍ଷରୁ ଗରଦପୁର ଉପ-ଡାକଘର ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ୨ଶହରୁ ଉଦ୍ଧର୍‌ବ କର୍ମୀ ବାଇକ ଶୋଭାଯାତ୍ରାରେ ଆସି ଉପ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରରେ ଥିବା ମୋଦି ସରକାର ମିଛୁଆ ସାଜିଛନ୍ତି। ଦେଶରେ ଦରଦାମ ବୃଦ୍ଧି ସହ ବେକାରୀ ସମସ୍ୟା ଓ ଭ୍ରଷ୍ଟାଚାର ଦିନକୁ ଦିନ ବୃଦ୍ଧି ପାଉଛି। ସେନାକୁ ଦୁର୍ବଳ କରିବା ପାଇଁ ଅଗ୍ନିପଥ ଯୋଜନାରେ ଦେଶର ଯୁବକଙ୍କୁ ଭ୍ରମିତ କରୁଛନ୍ତି। ଏଥିରୁ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟଦିଗକୁ ନେବା ପାଇଁ ଇଡି ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସକୁ ବଦ୍‌ନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର କରୁଥିବା ମତ ପ୍ରକାଶ ପାଇଛି। ଏହି ଅବସରରେ କଂଗ୍ରେସ ନେତା ସୁବାସ ସାମଲ, ଦୟାନିଧି ଜେନା, ନିରଞ୍ଜନ ରାଉତ, କୁମାର ପାଣି, ଶଙ୍କର୍ଷଣ ମଲ୍ଲିକ, ପ୍ରତାପ ଲେଙ୍କା, ସୁରେନ୍ଦ୍ର ବାରିକ, ରମାକାନ୍ତ ସ୍ବାଇଁ, ରଞ୍ଜନ ପରିଜା, ଫକିର ଲେଙ୍କା, ନୃସିଂହ ପରିଜା, ଦୋଳଗୋବିନ୍ଦ ମାହାଳୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ନିଜ ନିଜର ବକ୍ତବ୍ୟ ରଖି ଥିବା ବେଳେ ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି ଧନ୍ୟବାଦ ଦେଇଥିଲେ ।

Share