Categories: ଜାତୀୟ

ସେଙ୍ଗୋଲକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଛି ଏହି ସାକ୍ଷାତକାର!

ନୂଆଦିଲ୍ଲୀ,୯।୬:ନୂଆ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ସେଙ୍ଗୋଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ନୂଆ ସଂସଦ ଭବନକୁ ବିରୋଧ କରିବା ସହ ବିରେଧୀ ଏହି ଉତ୍ସବକୁ ବର୍ଜନ କରିଥିଲେ। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସଂସଦ ଭବନରେ ସ୍ଥାପନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ମୋଦିଙ୍କ ରାଜ୍ୟଭିଷେକ କହି କଟାକ୍ଷ କରିଥିଲେ। ଭାଜପା ଏନେଇ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦିଆଯାଇଥିବା ସେଙ୍ଗୋଲକୁ କଂଗ୍ରେସ ‘ସୁନାର ବାଡି’ କହି ସଂଗ୍ରହାଳୟରେ ଅନ୍ଧାର କୋଠରୀରେ ଲୁଚାଇ ଦେଇଥିଲା। ସ୍ବାଧୀନତାର ପ୍ରତୀକ ଏହି ରାଜଦଣ୍ଡକୁ ନେହେରୁ ବାଡି ଭାବରେ ବ୍ୟବହାର କରୁଥିଲେ।

ତେବେ ଶୁକ୍ରବାର କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସେଙ୍ଗୋଲକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବ୍ରିଟିଶ୍‌ ଶାସନ କ୍ଷମତା ହସ୍ତାନ୍ତର କରିବା ସମୟରେ ପ୍ରତୀକ ରୁପେ ରାଜଦଣ୍ଡ ସେଙ୍ଗୋଲକୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ପ୍ରଦାନ କରିଥିଲେ। ଏହା ସମ୍ପୂର୍ଣ୍ଣ ରୂପେ ମିଛ।

ଜୟରାମ ଟ୍ବିଟ୍‌ କରି ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଥରୁବାଭଦୁଥରାଇ ଅଧିନସ୍ଥ ମଠ ମହନ୍ତଙ୍କ ସାକ୍ଷାତକାର ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଥରୁବାଭଦୁଥରାଇ ମଠ ମହନ୍ତ ‘ଦି ହିନ୍ଦୁ’କୁ ଦେଇଥିବା ଏହି ସାକ୍ଷାତକାରରେ ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଯାଇଛି। ନେହେରୁଙ୍କୁ ରାଜଦଣ୍ଡ ୁପହାର ଦେବା ସମୟରେ ଲର୍ଡ ମାଉଣ୍ଟବ୍ୟାଟେନ କିମ୍ବା ଚକ୍ରବର୍ତ୍ତୀ ରାଜଗୋପାଳାଚାରି ଉପସ୍ଥିତ ନ ଥିଲେ। ଏହି ରାଜଦଣ୍ଡକୁ ୧୪ ଅଗଷ୍ଟ ୧୯୪୭ରେ ନେହେରୁଙ୍କୁ ତାଙ୍କ ବାସଭବନରେ ହସ୍ତାନ୍ତର କରାଯାଇଥିଲା। ଏହାକୁ ମୁଁ ଦୀର୍ଘଦିନ ଧରି କହି ଆସୁଛି।

ଏଠାରେ କହି ରଖୁଛୁ ଯେ, ‘ଦି ହିନ୍ଦୁ’ର ସାକ୍ଷାତକାରରେ ଥରୁବାଭଦୁଥରାଇ ୨୪ତମ ମଠ ମହନ୍ତ ଶ୍ରୀ ଲା ଶ୍ରୀ ଅମ୍ବାଲାବନା ଦେଶିକା ପରମାଚାର୍ଯ୍ୟ ସ୍ବାମୀଗଲ କହିଛନ୍ତି, ‘ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ମୁଁ ଶୁଣିଛି ଯେ, ଏହି ଘଟଣା ବିଷୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମୁକ୍ତିଲାଭ କରଥିଲା। କିନ୍ତୁ ନେହେରୁଙ୍କୁ ରାଜଦଣ୍ଡ ଦିଆଯାଇଥିଲା ବୋଲି ପ୍ରମାଣ କରିବାକୁ ମଠ ପାଖରେ ଦସ୍ତାବିଜ ଏବଂ ଫଟୋ ରହିଛି। ଏହି ପ୍ରମାଣ ସତ୍ୟ ଅଟେ। ନେହେରୁଙ୍କୁ ସେଙ୍ଗୋଲ ଭେଟି ଦେବା ବିଷୟରେ ଅନେକ ଲୋକ ଅବଗତ ନାହାନ୍ତି ବୋଲି ସେ କହିଛନ୍ତି।

Share