Categories: ଜାତୀୟ

ବନ୍ୟା ପାଇଁ କଂଗ୍ରେସ ଦାୟୀ: ବୋମ୍ମାଇ…

ବେଙ୍ଗାଲୁରୁ, ୬।୯ : ଦକ୍ଷିଣ ଭାରତର କେତେକ ରାଜ୍ୟରେ ମୌସୁମୀ ବର୍ଷା ସଙ୍କଟ ସୃଷ୍ଟି କରିଛି। କର୍ନାଟକର ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡୁର ବହୁ ଅଞ୍ଚଳରେ ବର୍ଷା ଲୋକମାନଙ୍କ ପାଇଁ ବିପଦ ଆଣିଛି। ସ୍ମାର୍ଟ ସିଟି ବେଙ୍ଗାଲୁରୁର ରାସ୍ତା ଜଳମଗ୍ନ ଘଟଣା ପଛରେ ରାଜ୍ୟର ପୂର୍ବତନ କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ। କଂଗ୍ରେସ ସରକାରଙ୍କ କୁଶାସନର ଫଳାଫଳ ଯୋଗୁ ଏବେ ବେଙ୍ଗାଲୁରୁରେ ଏଭଳି ଅବସ୍ଥା ଦେଖାଦେଇଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ବୋମ୍ମାଇ କହିଛନ୍ତି, ପୂର୍ବ କଂଗ୍ରେସ ସରକାରଙ୍କ ଭୁଲ ଯୋଜନା ଏବଂ ପ୍ରଶାସନିକ ବିଫଳତା ଯୋଗୁ ଏହା ଘଟିଛି।

ପୂର୍ବ କଂଗ୍ରେସ ସରକାର ହ୍ରଦ ଏବଂ ବଫର ଜୋନ ପାଇଁ ଯୋଜନା ଠିକ ଭାବେ କରି ନାହାନ୍ତି। ବନ୍ୟା ପରିସ୍ଥିତି ପ୍ରବଳ ବର୍ଷା ଏବଂ ଜଳ ନିଷ୍କାସନ ନ ହୋଇ ପାରିବାରୁ ଘଟିଛି। ତାଙ୍କ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି। ବେଙ୍ଗାଲୁରୁରେ ବର୍ଷା ଗତ ୯୦ ବର୍ଷର ରେକର୍ଡ ଭାଙ୍ଗିଛି।

ତେବେ ସୋସିଆଲ ମିଡ଼ିଆରେ ବେଙ୍ଗାଲୁରୁର ସ୍ଥିତି ନେଇ କରାଯାଉଥିବା ପ୍ରଚାର ସତ୍ୟ ନୁହେଁ ବୋଲି ବୋମ୍ମାଇ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ୩୦୦ କୋଟି ଟଙ୍କା ମଞ୍ଜୁର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କାରେ ନିର୍ମାଣ ଏବଂ ଥଇଥାନ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share