Categories: ଜାତୀୟ

୨୦୨୧ ଜାନୁୟାରୀରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ: ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ, ୧୭।୧୦: କଂଗ୍ରେସରେ ଅଧ୍ୟକ୍ଷ ନିଯୁକ୍ତି ନେଇ ସଙ୍କଟ ଜାରି ରହିଛି। ଦଳ ପକ୍ଷରୁ ଗଠନ କରାଯାଇଥିବା ୧୨ ଜଣିଆ ସଦସ୍ୟତା କମିଟି ପକ୍ଷରୁ ଇତିମଧ୍ୟରେ ଅଧ୍ୟକ୍ଷ ନିଯୁକ୍ତି ଲାଗି ୨ ଥର ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି। ୨୦୨୧ ଜାନୁୟାରୀରେ ଦଳକୁ ନୂଆ ଅଧ୍ୟକ୍ଷ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। କାମଚଳା ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ କାର୍ଯ୍ୟକରୁଥିଲେ ବି ସ୍ଥାୟୀ ଅଧ୍ୟକ୍ଷ ବିନା ଦଳର ସଂଗଠନ ସୁଦୃଢ଼ ହୋଇ ପାରିବ ନାହିଁ ବୋଲି ବରିଷ୍ଠ ନେତାଏ ବୁଝି ସାରିଲେଣି। ଭାଜପା ସହିତ କଡ଼ା ଟକ୍କର ଦେବା ଲାଗି ଟାଣୁଆ ଅଧ୍ୟକ୍ଷ ଏବେ ଦଳ ପାଇଁ ଆବଶ୍ୟକ। ରାହୁଲ ଗାନ୍ଧୀ ପୂର୍ବରୁ ଅଧ୍ୟକ୍ଷ ପଦ ଲାଗି ମନା କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ପଦବୀରେ ମଧ୍ୟ ରହିବେ ନାହିଁ। ତେବେ ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ରହୁ ନ ଥିବାରୁ ହୁଏତ ସେ ପୁଣି ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏହା ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରେ ରହିଛି। ରାହୁଲଙ୍କ ଯଦି ରାଜି ହେଉ ନାହାଁନ୍ତି ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋନିଆ ଏଥିପାଇଁ ରାଜି କରାଇବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ ବିଜୟ ସିଂ ମତାମତା ଦେଇଛନ୍ତି। ପୁଣି ଥରେ ରାହୁଲଙ୍କୁ ବୁଝାସୁଝା କରିବା ଲାଗି ଅନ୍ୟ ବରିଷ୍ଠ ନେତା ଅଣ୍ଟା ଭିଡ଼ିଛନ୍ତି। ସୂଚନାଯୋଗ୍ୟ ୨୦୧୭ରେ ରାହୁଲ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ଥିଲା। ୨୦୧୯ ଲୋକ ସଭା ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Share