
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିସହ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର ସମେତ ପ୍ରମୁଖ ଦାବି ନେଇ ଏହି ଶୋଭାଯାତ୍ରା ହୋଇଥିଲା । ଗଞ୍ଜାମ ଜିଲା କଂଗ୍ରେସ କମିଟି ପଶ୍ଚିମ ର ଆହ୍ବାନ କ୍ରମେ ଏହି ଶୋଭାଯାତ୍ରା ହୋଇଥିଲା। ଦଳୀୟ କର୍ମୀମାନେ ମଶାଲ ଧରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଆନ୍ଦୋଳନର ନେତୃତ୍ୱ କଂଗ୍ରେସ ବିଧାୟକ ପ୍ରାର୍ଥୀ ହରେକୃଷ୍ଟ ରଥ, ଜଗନ୍ନାଥପ୍ରସାଦ ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ବିଦ୍ୟାଧର ପ୍ରଧାନ ପ୍ରମୁଖ ନେଇଥିଲେ । ଆମ ମା’- ଆମ ସମ୍ମାନ, ଆମ ଗର୍ବ ଓ ଆମ ପରିବାର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ ନାରୀ, ଶିଶୁ, ନାବାଳିକା ନିଖୋଜ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ଆନ୍ଦୋଳନ ହୋଇଥିଲା। ସରକାର ନିଖୋଜ ସମସ୍ତଙ୍କୁ ତୁରନ୍ତ ଖୋଜି ବାହାର କରନ୍ତୁ, ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।