Categories: ଜାତୀୟ

ଅନୁଚ୍ଛେଦ ୩୫୫ ଲାଗୁ ନେଇ କଂଗ୍ରେସ-ତୃଣମୂଳ ମୁହାଁମୁହିଁ…

କୋଲକାତା, ୨୮।୩ : ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବାକୁ ନେଇ ଏବେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଅଭିଯୋଗ କରି ରାଜ୍ୟରେ ଅନୁଚ୍ଛେଦ ୩୫୫ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଛାତ୍ର ନେତା ଆନିସ ଖାଁଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଫେବୃଆରୀରେ କାଦମତାଲା ଠାରୁ ଏସପ୍ଲାନେଡ ଅଞ୍ଚଳକୁ ଏକ ପଦଯାତ୍ରା କରିଥିଲେ।

ଗୋଟିଏ ପରେ ଗୋଟିଏ ଘଟଣା ପଶ୍ଚିମବଙ୍ଗରେ ଘଟୁଛି। ମାତ୍ର ଶାସକ ଦଳ ଏହାକୁ ନିୟନ୍ତ୍ରଣ କରି ପାରୁ ନ ଥିବା ସେ କହିଛନ୍ତି। ଛାତ୍ର ନେତା ଅନିସ ଖାଁଙ୍କୁ ତାଙ୍କ ଘରର ତୃତୀୟ ମହଲାରୁ ଠେଲି ଦିଆଯାଇଥିଲା ଏବଂ ପ୍ରକୃତ ଅପରାଧୀଙ୍କୁ ତଦନ୍ତରେ ସୁରକ୍ଷା ପ୍ରଦାନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଏହା ପରେ ବୀରଭୂମ ଜିଲାର ରାମପୁରହାଟରେ ଏକ ବର୍ବର ଘଟଣା ଘଟିଥିଲା ଯେଉଁଥିରେ ମହିଳା ଓ ଶିଶୁଙ୍କ ସମେତ ଆଠ ଜଣ ଲୋକ ପୋଡି ପାଉଁଶ ହୋଇଯାଇଥିଲେ। ଝାଲଦା ମ୍ୟୁନିସିପାଲିଟିର କାଉନସିଲର ତପନ କାଣ୍ଡୁଙ୍କୁ ଗୁଳି କରାଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଉପଯୁକ୍ତ ଅନୁସନ୍ଧାନ କରାଯାଇ ନାହିଁ।

ଏହି ସମସ୍ତ ଘଟଣା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶାସକ ତୃଣମୂଳର ଅପାରଗତାକୁ ସୂଚିତ କରୁଥିବା ସେ କହିଛନ୍ତି। ଲୋକ ସଭାରେ ଅଧିର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ପରିସ୍ଥିତିରେ କଂଗ୍ରେସ ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବା ସପକ୍ଷରେ ଅଛି।

ରାଜ୍ୟରେ ଶାସକ ଦଳ ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ସମ୍ବିଧାନର ଧାରା ୩୫୫ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିଥାଏ। ପଶ୍ଚିମବଙ୍ଗରେ ଧାରା ୩୫୫ଲାଗୁ କରିବା ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱର ନିରବତା ନେଇ ଅଧିର ଭାଜପା ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

Share