ହୋଲି ପରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୧।୩: ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଥମୁନାହିଁ। ଏନେଇ ଦୁଇ ଦଳର ଶୀର୍ଷ ନେତା ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଠାରୁ ହାଇକମାଣ୍ଡ ବିଭିନ୍ନ କଥା କହିଲେ ମଧ୍ୟ ଝୁଲାବସ୍ଥାରେ ମେଣ୍ଟ ରହିଛି। ଏହାରି ଭିତରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ରାଜ୍ୟର ଲୋକ ସଭା ଓ ବିଧାନ ସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବେଠକରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସିର ଓଡିଶା ପ୍ରଭାରୀ ଅଜୟ କୁମାର, ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଓ ପରଗତ ସିଂହ, ଦୁଇଜଣ ସଚିବ ଖ୍ରୀଷ୍ଟଫର ତିଲକ ଓ ମହମ୍ମଦ ସାହାନୱାଜ ଚୌଧୁରୀ ଉପସ୍ଥିତ ରହିଛନ୍ତି।

ଏଆଇସିସି ମୁଖ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଲୋକ ସଭା ଓ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା, ନିର୍ବାଚନ ପ୍ରଚାର, ସଂଗଠନ କାର୍ଯ୍ୟକ୍ରମ ତଥା ଦଳୀୟ ସ୍ଥିତି ସଂପର୍କରେ ବେଣୁଗୋପାଳଙ୍କ ସହ ଆଲୋଚନା ହୋଇଥିଲା। ହୋଲି ପରେ ଓଡିଶାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡାନ୍ତ କରିବା ପାଇଁ ପୁଣିଥରେ ସ୍କ୍ରିନିଂ କମିଟି ବୈଠକ ବସିବ ବୋଲି ଜଣାପଡିଛି।

Share