ଆଜିଠୁ ପଦଯାତ୍ରାରେ ପ୍ରଚାରପତ୍ର ବାଣ୍ଟିବ କଂଗ୍ରେସ

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର):ଓଡ଼ିଶାର ପ୍ରତି ପଞ୍ଚାୟତରେ କଂଗ୍ରେସ ପଦଯାତ୍ରା କରିବ। ପ୍ରତ୍ୟେକ ଘରକୁ ଯାଇ ରାଜ୍ୟରେ ୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିବା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି କହିବ। ଏଥିଲାଗି ଦଳ ପକ୍ଷରୁ ପ୍ରଚାରପତ୍ର ପ୍ରସ୍ତୁତ କରାଯାଇଛି। ଏହି ପ୍ରଚାର ପତ୍ରକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ରବିବାର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ଶରତ କହିଛନ୍ତି।
କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି ଯେ, ୨ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ ବିଜେଡି ସରକାର ଶାସନରେ ରହିଛି। ତଥାପି ମଧ୍ୟ ରାଜ୍ୟର ସାମଗ୍ରିକ ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି। ରାଜ୍ୟବାସୀଙ୍କୁ ବିଜେଡି ସରକାର ଦେଇ ଆସୁଥିବା ଅନେକ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ସେହିପରି ୨୦୧୪ ପରଠାରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଚାଲିଛି। ହେଲେ ୨୦୧୪ ପୂର୍ବରୁ ଏବଂ ଏହାପରେ ସେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଗୋଟିଏ ହେଲେ ପାଳନ କରିନାହାନ୍ତି। ଓଲଟି ବିଭିନ୍ନ ଜିନିଷର ଦରଦାମ୍‌ ବହୁ ଗୁଣାରେ ବଢ଼ିଯାଇଛି। ଦେଶବ୍ୟାପୀ କ୍ଷୁଦ୍ର, ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକରେ ତାଲା ପଡ଼ିଗଲାଣି। ଏହିଭଳି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା କଥା ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବୁ । ଯଦି ସେହି ତଥ୍ୟ ଭୁଲ୍‌ ଥିବ ତାହାଲେ ଉଭୟ ସରକାର ଏହାକୁ ଖଣ୍ଡନ କରିବାର ସତ୍‌ସାହସ ଦେଖାନ୍ତୁ ବୋଲି ଶରତ କହିଛନ୍ତି।

Share