ବିଜେଡି, ଭାଜପା ବିରୋଧରେ ଏକାକୀ ଲଢ଼ିବ କଂଗ୍ରେସ: ଶରତ

ନୂଆପଡ଼ା,୩୦।୮(ମକାରୁ ବେମାଲ): ନୂଆପଡ଼ା ଜିଲା ପଟ୍ଟନାୟକ ଫାର୍ମ ହାଉସଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଜିଲା କଂଗ୍ରେସ୍‌ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ କରାଯାଇଥିଲା। ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନୂଆପଡା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାମାନଙ୍କୁ ନେଇ ଆଲୋଚନା କରାଯାଇଥିଲା। ଆଗାମୀ ନିର୍ବାଚନରେ ବିଜେଡି ଓ ଭାଜପାର କଳାକାରନାମା ବିରୋଧରେ କଂଗ୍ରେସ ଏକ ହୋଇ ଲଢ଼ିବ, ଆଉ ନିଶ୍ଚିତ ବିଜୟ ଲାଭ କରିବ ବୋଲି ପିସିସି ସଭାପତି କହିଥିଲେ। ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଭାଜପା ବଳରେ ବିଜେଡି ବଳୀୟାନ, ଦୁଇ ଦଳ ଓଡ଼ିଶାକୁ ଗରିବ ରାଜ୍ୟରେ ପରିଗଣିତ କରିଦେଇଛନ୍ତି କହି ଉଭୟ ଦଳକୁ କଡା ସମାଲୋଚନା କରିଛନ୍ତି। ଆପଣମାନଙ୍କ ସହଯୋଗ ନେଇ ତୃଣମୂଳସ୍ଥରରୁ ସଙ୍ଗଠିତ ହୋଇ ଏ ଦୁର୍ନୀତି ଖୋର୍‌ ସରକାରଙ୍କୁ ବିଦା କରିବା ପାଇଁ ସମୟ ଆସିଛି ବୋଲି ଶରତ କହିଛନ୍ତି। ଏହି ସଭାରେ ଜିଲା ପ୍ରଭାରୀ ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ନୂଆପଡାବାସୀଙ୍କ ପାଇଁ ସାହାଯ୍ୟ ସହଯୋଗ ସଦାସର୍ବଦା କରି ଆସୁଛି ବୋଲି କହିଥିଲେ। ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ସବୁବେଳେ ଯୁବ, ଛାତ୍ର, ସମାଜ ଓ ଲୋକଙ୍କ ହିତ କାର୍ଯ୍ୟ କରି ଆସୁଛି। ଜିଲାବାସୀଙ୍କ ପାଇଁ ସବୁବେଳେ ଦୁଆର ଖୋଲା ରହିଛି। ରାଜ୍ୟ ସାଧାରଣ ସମ୍ପାଦକ ଘାସିରାମ ମାଝି, ନୂଆପଡା କଂଗ୍ରେସ କମିଟି ସଭାପତି ସୁରେଶ କୁମାର ଆଜାଦ, ଜିଲା ପରିଷଦ ସଭ୍ୟ ଭାରତ ଲାଲ ରାଉତ, ନୂଆପଡା ବ୍ଲକ ସଭାପତି ଚୁନିଲାଲ ଶବର, ନୂଆପଡା ଏନ୍‌ଏସି ସଭାପତି କୁଲଦୀପ ସୂର୍କୋଆଜ, କୋମନା ବ୍ଲକ ସଭାପତି ପିଲେଶ୍‌ର ସାହୁ, ଜିଲା ସାଧାରଣ ସମ୍ପାଦକ ଅଭୟ ଶଙ୍କର ଜୋଷୀ, ସବୁ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା।