ଜନ୍ତରା ଗ୍ରାମକୁ ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଇବ କଂଗ୍ରେସ

ଭୁବନେଶ୍ୱର,୨୨।୧୦(ଅନିଲ ଦାସ): କେନ୍ଦୁଝର ଜିଲା ଜୁଆଙ୍ଗ ଗ୍ରାମରେ ଦୂଷିତ ପାଣି ପିଇ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶନିବାର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି କମିଟିରେ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଅଧ୍ୟକ୍ଷା ଥିବାବେଳେ ପିସିିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ, ପିସିସି ସଭ୍ୟ ଭୁବନ ବିହାରୀ ସାହୁ, ପିସିସି ସମ୍ପାଦକ ଅଜିତ ଜେନା ସଭ୍ୟ ରହିଛନ୍ତି। ପିସିସି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି କେନ୍ଦୁଝର ଜିଲାର ବାଂଶପାଳ ବ୍ଲକର ଗୋନାସିକ ପଞ୍ଚାୟତ ଅନ୍ତର୍ଗତ ଜନ୍ତରା ଗ୍ରାମକୁ ଗସ୍ତ କରିବ। ସୂଚନାଯୋଗ୍ୟ, ଗତ କିଛିଦିନ ଭିତରେ ଜନ୍ତରା ଗ୍ରାମରେ ୧୧ ଜଣ ଜୁଆଙ୍ଗ ବ୍ୟକ୍ତି ଦୂଷିତ ପାଣି ପିଇ ମୃତ୍ୟୁବରଣ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଏହି ଘଟଣାର ପ୍ରକୃତ କାରଣ ଏବଂ କେଉଁ ପରିସ୍ଥିତିରେ ଏହି ଲୋକମାନେ ଦୂଷିତ ପାଣି ବ୍ୟବହାର କରୁଛନ୍ତି କମିଟି ଏହାର ଯାଞ୍ଚ କରିବ। ଏହି କମିଟି ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା ଏବଂ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଏବଂ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କ ସହ ଯୋଗାଯୋଗ କରି ଜନ୍ତରାକୁ ଗସ୍ତ କରିବେ। ଜନ୍ତରା ଗସ୍ତର ୨୪ ଘଣ୍ଟା ମଧ୍ୟରେ କମିଟି ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ପିସିସି ସଭାପତି କହିଛନ୍ତି, କେନ୍ଦୁଝର ରାଜ୍ୟର ସ୍ବର୍ଣ୍ଣଗର୍ଭା ଜିଲା। ରାଜ୍ୟ ରାଜକୋଷକୁ ଏହି ଜିଲା ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଏହାର ସାଧାରଣ ଲୋକଙ୍କୁ ୨୩ ବର୍ଷ ଭିତରେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ପାରିଲେ ନାହିଁ। ଲୋକମାନେ ବିଷାକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ରୋଷେଇଠାରୁ ଆରମ୍ଭ କରି ସମସ୍ତ ଦୈନନ୍ଦିନ କାର୍ଯ୍ୟରେ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି। ଫଳରେ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହା ସରକାରଙ୍କ ଓଡ଼ିଶା ପ୍ରୀତିର ଆଉ ଏକ ଉଦାହରଣ ବୋଲି ଶରତ କହିଛନ୍ତି ।

Share