ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି, କଂଗ୍ରେସ ନିଜ ନିଜର ଗୋଟିଚାଳନା ଆରମ୍ଭ କରି ଲୋକଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ରାଜନୀତି ମୈଦାନରେ ନିଜର ରଣକୌଶଳ ଆରମ୍ଭ କରି ଅନ୍ୟ ଦଳର ପ୍ରାର୍ଥୀକୁ ଚକିତ କରିଛନ୍ତି। ମହାପାତ୍ର ନିର୍ବାଚନମଣ୍ଡଳୀର ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ବ୍ଲକର ସମସ୍ତ ପଞ୍ଚାୟତର ପ୍ରତି ଗାଁ ବୁଲି କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମହାପାତ୍ର ତାଙ୍କ କର୍ମୀଙ୍କ ସହିତ ସୋମବାର ଗଡ଼ିଗାଁ, ନିଚୁଆପଦା, ଦୁର୍ଗାପୁର, ଦାନ୍ତିଆମୁଁହା ଇତ୍ୟାଦି ପଞ୍ଚାୟତର ପ୍ରତି ଗାଁ ବୁଲି ଲୋକଙ୍କୁ କଂଗ୍ରେସର ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବା ସହିତ ଲୋକଙ୍କୁ ଭୋଟ୍‌ ଭିକ୍ଷା କରିଥିବାର ଦେଖିବାକୁ ମିଳୁଛି l

ଉକ୍ତ ଗ୍ୟାରେଣ୍ଟି କାର୍ଡରେ ପାଞ୍ଚଟି ଯୋଜନା ଉଲ୍ଲେଖ ରହିଛି। ପ୍ରଥମେ ଗୃହ ଜ୍ୟୋତି ଯୋଜନାରେ ଘରୋଇ ଉପଭୋକ୍ତାଙ୍କ ପାଇଁ ଦୁଇଶହ ୟୁନିଟ୍‌ ବିଦ୍ୟୁତ୍‌ ଦେୟ ଛାଡ଼, ଯୁବ ବିକାଶ ଯୋଜନାରେ ୫ ଲକ୍ଷ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ମାସିକ ବେକାରୀ ଭତ୍ତା ୩୦୦୦ ଟଙ୍କା ପ୍ରଦାନ, କୃଷକ ବନ୍ଧୁ ଯୋଜନାରେ ବୋନସ୍‌ ସହିତ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ୨୦୦୦ ଟଙ୍କାର ପେନ୍‌ସନ୍‌ ପ୍ରଦାନ, ଗୃହ ଲକ୍ଷ୍ମୀ ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ୩୦୦୦ ଟଙ୍କାର ଭତ୍ତା ପ୍ରଦାନ,ମାସକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଏବଂ ଜନକଲ୍ୟାଣ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ, ଚିଟ୍‌ଫଣ୍ଡ ପ୍ରଭାବିତ ଜମାକାରୀମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହିତ ଜମାରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କର ନିଜ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର,୧୦୦ ଦିନ ମଧ୍ୟରେ ପେସା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ଇତ୍ୟାଦି ଯୋଜନାକୁ ଏକ ଗ୍ୟାରେଣ୍ଟି କାର୍ଡ ଜରିଆରେ ଲୋକଙ୍କୁ  ବୁଝାଉଥିବାର ଦେଖିବାକୁ ମିଳୁଛି। ତେବେ ଏହି ନିର୍ବାଚନରେ କଂଗ୍ରେସ ପ୍ରତିଦ୍ବନ୍ଦ୍ୱୀ ଦଳକୁ କଡ଼ା ଟକ୍କର ଦେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Share