Categories: ଜାତୀୟ

ପିକେଙ୍କୁ ନେଇ କଂଗ୍ରେସର ଘର କଳି ତେଜିଲା, ଜି-୨୩ ଅସନ୍ତୁଷ୍ଟ..

ନୂଆଦିଲ୍ଲୀ, ୨୧।୪ : ଅଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ପକ୍ଷରୁ ରୋଡମ୍ୟାପ ଭାବରେ ଦିଆଯାଇଥିବା ପ୍ରସ୍ତାବ ଉପରେ କଂଗ୍ରେସରେ ଘର କଳି ତେଜିବାରେ ଲାଗିଛି। ଜି -୨୩ଙ୍କ ସହିତ ଏନେଇ କୌଣସି ପରାମର୍ଶ କରାଯାଇ ନଥିବାରୁ ପୂର୍ବରୁ ଅସନ୍ତୁଷ୍ଟ ଥିବା ନେତାଙ୍କ ରାଗି ନିଆଁବାଣ ହୋଇଛନ୍ତି। ସେମାନେ କହିଛନ୍ତି ଯେ, ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଚାଲିଥିବା ଆଲୋଚନାକୁ ନେଇ ଏହି ଗୋଷ୍ଠୀର ପରାମର୍ଶ ନିଆଯାଇ ନାହିଁ।

ସୂଚନାଯୋଗ୍ୟ ଯେ ରାଜସ୍ଥାନର ଦୁଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡର ଭୁପେଶ ବାଘେଲଙ୍କୁ ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦିଲ୍ଲୀ ଡକାଯାଇଥିଲା। ଏହି ପ୍ରସ୍ତାବ ଉପରେ ଆନୁଷ୍ଠାନିକ ବିଚାରବିମର୍ଶ ସମୟରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ, କିନ୍ତୁ ଜି -୨୩ ନେତାଙ୍କୁ ପରାମର୍ଶ ପାଇଁ ଡକାଯାଇ ନ ଥିଲା। ସେମାନଙ୍କ ମଧ୍ୟରେ କଂଗ୍ରେସର ଜଣେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ରହିଛନ୍ତି।

ତେବେ ଜି -୨୩ ନେତାଙ୍କ ଦ୍ୱାରା ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିର ଅନ୍ୟତମ ଦସ୍ତଖତକାରୀ ବୀରପ୍ପା ମୋଇଲି କହିଛନ୍ତି ଯେ ପିକେଙ୍କ ପ୍ରସ୍ତାବ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗେହଲଟ କହିଛନ୍ତି ଯେ “ପିକେ ବର୍ତ୍ତମାନ ଏକ ବ୍ରାଣ୍ଡ”, ଯାହା ସୂଚାଇ ଦେଉଛି ଯେ ଦଳ ଏକ ରାଜନୈତିକ ରଣନୀତିଜ୍ଞଙ୍କ ସହ କାମ କରିବାକୁ ଚାହୁଁଛି। କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲାଙ୍କ ଅନୁଯାୟୀ, ପିକେଙ୍କୁ ୪୮ ଘଣ୍ଟା ମଧ୍ୟରେ କଂଗ୍ରେସରେ ଅନ୍ତର୍ଭୁକ୍ତ କରାଯିବା ନେଇ ଦଳ ନିଷ୍ପତ୍ତି ନେବ। ତେବେ କିଶୋରଙ୍କ ବିଷୟରେ ସୋନିଆ ଗାନ୍ଧୀଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିବ।

କଂଗ୍ରେସ ବର୍ତ୍ତମାନ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ଉପରେ ଅଧିକ ଧ୍ୟାନ ଦେଉଛି। ସେଠାରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବାର ଅଛି। ଏହି ଦୁଇ ରାଜ୍ୟର ନିର୍ବାଚନ ସଫଳତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ମୋଟାମୋଟି ଭାବେ, ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବଡ଼ ନିର୍ବାଚନ ହେବ। ସୋନିଆ ଗାନ୍ଧୀ, ଅମ୍ବିକା ସୋନି, ଏ.କେ. ଆଣ୍ଟୋନି, ଜୟରାମ ରମେଶ, କେ.ସି. ଭେନୁଗୋପାଲ ଏବଂ ରଣଦୀପ ସୁର୍ଜେୱାଲା ଅନ୍ୟମାନଙ୍କ ସହ ଏହି ବୈଠକରେ ଉପସ୍ଥିତ ଥିଲେ।

ଭେନୁଗୋପାଲ କହିଛନ୍ତି ଯେ ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ପାଇଁ ଏକ ବିସ୍ତୃତ ଉପସ୍ଥାପନା କରିଛନ୍ତି ଏବଂ କଂଗ୍ରେସ ସଭାପତି ଏକ ଛୋଟ କମିଟି ନିଯୁକ୍ତ କରିଛନ୍ତି। କମିଟି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାନୁସାରେ, କିଶୋର ଶନିବାରର ବୈଠକରେ ପିକେ କହିଛନ୍ତି ଯେ କଂଗ୍ରେସ ୩୭୦ ରୁ ୪୦୦ ଲୋକ ସଭା ଆସନକୁ ଟାର୍ଗେଟ କରିବା ଉଚିତ ଏବଂ ପାର୍ଟି ଦୁର୍ବଳ ଥିବା ସ୍ଥାନରେ ମେଣ୍ଟରେ କାମ କରିବା ଉଚିତ।

Share