Categories: ଜାତୀୟ

‘ସହମତିରେ ଯୌନ ସମ୍ପର୍କ ଅପରାଧ ନୁହେଁ’

ପ୍ରୟାଗରାଜ, ୩୧।୧୦(ଆଇଏଏନ୍‌ଏସ୍‌): ସହମତିରେ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଯୌନ ସମ୍ପର୍କ ଅପରାଧ ନୁହେଁ କିନ୍ତୁ ଏହା ଅନୈତିକ ଏବଂ ଭାରତୀୟ ପରମ୍ପରା ବିରୋଧୀ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଶନିବାର କହିଛନ୍ତି। ଏକ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେବା ଅବସରରେ ଉପରୋକ୍ତ ମତ ରଖିଛନ୍ତି। ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନ ପାଇଁ ଆବେଦନ କରିଥିବା ଯୁବକ ନିଜକୁ ନାବାଳିକାଙ୍କ ବୟଫ୍ରେଣ୍ଡ ବୋଲି ଦାବି କରିଥିଲେ। ପୀଡ଼ିତା ତାଙ୍କର ପ୍ରେମିକା ହୋଇଥିବାରୁ ଅନ୍ୟ ଅଭିଯୁକ୍ତମାନେ ବଳାତ୍କାର କରୁଥିବାବେଳେ ତାଙ୍କ ମର୍ଯ୍ୟାଦା ଓ ସମ୍ମାନର ସୁରକ୍ଷା କରିବା ପୁରୁଷବନ୍ଧୁଙ୍କ କର୍ତ୍ତବ୍ୟ ଥିଲା ବୋଲି ଜଷ୍ଟିସ୍‌ ରାହୁଲ ଚତୁର୍ବେଦୀ କହିଛନ୍ତି। ପୀଡ଼ିତା ସାବାଳିକା ହୋଇଥିଲେ ତାଙ୍କ ସହମତିରେ ଯୌନ ସମ୍ପର୍କକୁ ଅପରାଧ ଭାବେ ଗ୍ରହଣ କରାଯାଇ ନ ଥାନ୍ତା, ତେବେ ଏହା ଅନୈତିକ ଓ ଭାରତୀୟ ସମାଜ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ ବୋଲି ବିଚାରପତି କହିଛନ୍ତି। ଆବେଦନକାରୀଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟ ଅଭିଯୁକ୍ତମାନେ ତାଙ୍କ ସମ୍ମୁଖରେ ପ୍ରେମିକାଙ୍କୁ ବୀଭତ୍ସ ଭାବେ ବଳାତ୍କାର କରୁଥିବାବେଳେ ସେ ନୀରବ ଦର୍ଶକ ସାଜିଥିଲେ। ତେଣୁ ସେ ପୁରୁଷବନ୍ଧୁ ପରିଚୟ ହରାଇଥିବା ଖଣ୍ଡପୀଠ କହିଛନ୍ତି।
ଏତଲା ଅନୁଯାୟୀ ଗତ ଫେବୃୟାରୀ ୧୯ରେ ଉତ୍ତରପ୍ରଦେଶ କୌଶମ୍ଭୀ ଜିଲାର ୧୫ ବର୍ଷୀୟା ପୀଡ଼ିତା ଏକ ଶିକ୍ଷାନୁଷ୍ଠାନକୁ ସିଲେଇ ଶିକ୍ଷା କରିବାକୁ ଯାଇଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହୋଇଥିଲେ ଏବଂ ଯୋଜନା ଅନୁଯାୟୀ ଉଭୟ ନଦୀକୂଳର ଏକ ନିଛାଟିଆ ସ୍ଥାନରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଅନ୍ୟ ୩ ଜଣ ଆସି ସେମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଓ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ତା’ ପରଦିନ ପୀଡ଼ିତାଙ୍କ ପକ୍ଷରୁ ୪ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। କୌଶମ୍ଭୀ ଜିଲାର ଅକିଲ ସରାଇ ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ବଳାତ୍କାର, ଆକ୍ରମଣ ଓ ଆଇପିସିର ବିଭିନ୍ନ ଧାରା ସମେତ ପୋକ୍ସୋ ଆଇନା ଧାରା ୫ ଓ ୬ରେ ମାମଲା ରୁଜୁ ହୋଇଥିଲା।

Share