ପାକିସ୍ତାନରେ ଗୋଟିଏ ଦିନରେ ନିର୍ବାଚନ ପାଇଁ ସହମତି…

ଇସଲାମାବାଦ,୩।୫ : ପାକିସ୍ତାନ ସରକାର ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହା ଅନୁସାରେ ସମଗ୍ର ଦେଶରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ସହମତି ପ୍ରକାଶ ପାଇଛି। ତେବେ ନିର୍ବାଚନର ତାରିଖ ନେଇ ଏପର୍ଯ୍ୟନ୍ତ ସହମତି ପ୍ରକାଶ ହୋଇନାହିଁ। ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଦଳ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନ ଧରି ନିର୍ବାଚନ ହେବାର ଦାବି ନେଇ ପାକିସ୍ତାନରେ ଅବରୋଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଦିନକରେ ନିର୍ବାଚନ କରିବାକୁ ରାଜି ହେବା ପାକିସ୍ତାନ ରାଜନୀତି ପାଇଁ ଏକ ବଡ ପଦକ୍ଷେପ।

 

ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳ ଦୀର୍ଘ ଦିନ ଧରି ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ନିର୍ବାଚନ ଦାବି କରିଆସୁଛି। ବାହାନା କରି ସରକାର ଏହାକୁ ଏଡାଇବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଉଭୟ ଦଳର ବୈଠକରେ ସମସ୍ତ ପ୍ରାଦେଶିକ ଏବଂ କେନ୍ଦ୍ରୀୟ ନିର୍ବାଚନ ଗୋଟିଏ ଦିନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଭୟ ଦଳର ବୈଠକରେ ମଧ୍ୟ ସହମତି ପ୍ରକାଶ ପାଇଛି ଯେ ଏହି ନିର୍ବାଚନ ଏକ କେୟାରଟେକର ସେଟଅପଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ, ଯାହାଦ୍ୱାରା ନିର୍ବାଚନର ନିରପେକ୍ଷତା ବଜାୟ ରହିବ ।

Share