ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ

ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପେଣ୍ଟାଗନ୍‌ର ୧୦ ଜଣ ପୂର୍ବତନ ମୁଖ୍ୟ ସତର୍କ କରାଇଦେଇନ୍ତି। ସାମରିକ ହସ୍ତକ୍ଷେପ ଯୋଗୁ ଆମେରିକା ବିପଜ୍ଜନକ, ଅରାଜକ ଓ ଅସାମ୍ବିଧାନିକ ଅଞ୍ଚଳରେ ପରିଣତ ହେବ ବୋଲି ଏହି ପୂର୍ବତନ ପ୍ରତିରକ୍ଷା ସଚିବମାନେ କହିଛନ୍ତି। ରବିବାର ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଏକ ମତାମତ ଲେଖାରେ ଏହି ସଚିବମାନେ ସ୍ବାକ୍ଷର କରିଛନ୍ତି। ଟ୍ରମ୍ପ୍‌ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ସ୍ବରୂପ ଜାନୁୟାରୀ ୨୦ରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ଭୋଟ ଗଣନା ତଥା ଏହାକୁ ଚ୍ୟାଲେଞ୍ଜ କରିବାର ବିଫଳତାରୁୁ ଫଳାଫଳ ସ୍ପଷ୍ଟ ବୋଲି ପୂର୍ବତନ ପ୍ରତିରକ୍ଷା ସଚିବମାନେ ଲେଖିଥିବାବେଳେ ସେଥିରେ ଟ୍ରମ୍ପ୍‌ଙ୍କ ନାଁ ଉଲ୍ଲେଖ କରିନାହାନ୍ତି। ଫଳାଫଳକୁ ନେଇ ପ୍ରଶ୍ନ ଉଠାଇବାର ସମୟ ଅତିକ୍ରାନ୍ତ ହୋଇଯାଇଛି। ଫଳାଫଳ ବଦଳାଇବା ପାଇଁ ସୈନ୍ୟବାହିନୀର ଉପଯୋଗ ନ କରିବାକୁ ପୂର୍ବତନ ପେଣ୍ଟାଗନ ମୁଖ୍ୟମାନେ କହିଛନ୍ତି। ଯେଉଁ ଅଧିକାରୀମାନେ ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦେଉଛନ୍ତି, ପରିଣତି ପାଇଁ ସେମାନେ ଦାୟୀ ରହିବେ ବୋଲି ଉକ୍ତ ଲେଖାରେ କୁହାଯାଇଛି।

Share