ସଂରକ୍ଷଣ ଓ ସାମାଜିକ ବ୍ୟବସ୍ଥା

ବୈକୁଣ୍ଠନାଥ ମିଶ୍ର

ଯଦି ମୋତେ କେହି ପଚାରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ, ତେବେ ନିଃସନ୍ଦେହରେ ମୁଁ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇପାରେ। ପ୍ରଥମତଃ ସଂରକ୍ଷଣ ବ୍ୟବସ୍ଥା ଓ ଦ୍ୱିତୀୟଟି ଦୁର୍ନୀତି’। ଏହାଥିଲା ଗୁଜରାଟ ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ବିଚାରପତି ଜେ.ବି. ପାର୍ଡିୱାଲାଙ୍କ ମତ। ସ୍ବାଧୀନତାର ସାତ ଦଶନ୍ଧି ଅତିକ୍ରାନ୍ତ ହେବା ପରେ ମଧ୍ୟ ଏ ଦେଶର କିଛି ପରିବାର ବିବିଧ ସରକାରୀ ସୁବିଧା ହାସଲ କରୁଛନ୍ତି, ଯଦିଓ ଅର୍ଥନୈତିକ ଦୃଷ୍ଟିରୁ ସେମାନେ ଆଉ ଅନଗ୍ରସର ନୁହନ୍ତି। ଡ. ଆମ୍ବେଡକରଙ୍କ ସଭାପତିତ୍ୱରେ ଯେତେବେଳେ ସମ୍ବିଧାନ ପ୍ରଣୟନ ହେଲା, ସେତେବେଳେ ଅର୍ଥନୈତିକ ଅନଗ୍ରସରତାରେ ପୀଡ଼ିତ ଜାତି ଓ ଜନଜାତି ବର୍ଗଙ୍କୁ ଚିହ୍ନଟ କରାଯାଇ ଦଶବର୍ଷ ପାଇଁ ଚାକିରି ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ସୁବିଧା ପ୍ରଦାନର ବ୍ୟବସ୍ଥା କରାଗଲା। ଉଦ୍ଦେଶ୍ୟ ଥିଲା, ସେମାନେ ଆର୍ଥିକ ଦୁରବସ୍ଥାରୁ ମୁକ୍ତିପାଇ ଉକ୍ତ ଅବଧି ମଧ୍ୟରେ ମହାଭାରତୀୟ ସ୍ରୋତରେ ନିଜକୁ ସାମିଲ କରିନେବା। ସମ୍ବିଧାନ ପ୍ରଣୟନର ବହୁପୂର୍ବରୁ ମହାତ୍ମା ଗାନ୍ଧୀ ସେମାନଙ୍କୁ ହରିଜନ ଓ ଗିରିଜନ ନାମରେ ନାମିତ କରି ସମାଜର ଏକ ବଡ଼ବ୍ୟାଧି ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତାଙ୍କ ମତରେ ‘ଅନ୍‌ଟଚେବିଲିଟି ଇଜ୍‌ ଏ କ୍ରାଇମ୍‌ ଏଗେନ୍‌ଷ୍ଟ ମ୍ୟାନ୍‌ ଆଣ୍ଡ ଗଡ୍‌’।
ସ୍ବାଧୀନୋତ୍ତର ଭାରତବର୍ଷରେ ସାମାଜିକ ସ୍ତରରେ ସମାନତା ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅସ୍ପୃଶ୍ୟତାର ଘୃଣ୍ୟ ସତ୍ତା ଲୋପ ପାଇଛି। ସବୁ ମଣିଷ ଗୋଟିଏ ଜାତି ବୋଲି ସମାଜ ଗ୍ରହଣ କରି ସାରିଥିଲେ ମଧ୍ୟ ସରକାରୀ ସ୍ତରରେ ଜାତିପ୍ରଥା ଉଜ୍ଜୀବିତ ରହିଛି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ରହିଥିବ ମଧ୍ୟ। ଭୋଟ ପାଇଁ ସଂରକ୍ଷଣ ଏକ ଅମୋଘ ଅସ୍ତ୍ର ବୋଲି ରାଜନେୈତିକ ଦଳଗୁଡ଼ିକ ମନେକରନ୍ତି। ଏଲ୍‌.ପି.ଜି. ସବ୍‌ସିଡି ତ୍ୟାଗ କରିବାକୁ ସରକାର ଯେପରି ସ୍ବଚ୍ଛଳବର୍ଗଙ୍କୁ ଆହ୍ବାନ ଦେଇଥିଲେ, ଠିକ୍‌ ସେହିପରି ଆର୍ଥିକ ସ୍ବଚ୍ଛଳତା ହାସଲ କରିଥିବା ଦଳିତ ଓ ଆଦିବାସୀ ପରିବାରଙ୍କୁ ସଂରକ୍ଷଣ ତ୍ୟାଗ କରିବାକୁ ଆହ୍ବାନ ଦେବେକି? ସେମାନେ ମଧ୍ୟ ସ୍ବତଃ ଏହା ତ୍ୟାଗ କରିବାକୁ ଆଗେଇ ଆସିବା ଉଚିତ। କାରଣ ସେମାନଙ୍କ ପିଲାମାନଙ୍କୁ କେହି ଅଙ୍ଗୁଳି ନିର୍ଦ୍ଦେଶ ନ କରୁ ଯେ, ସେମାନେ ନିଜ ଯୋଗ୍ୟତା ନୁହେଁ; ବରଂ ସଂରକ୍ଷଣ ବଳରେ ତାଙ୍କ ସ୍ଥିତି ଲାଭ କରିଛନ୍ତି। ଉଚ୍ଚ ଜାତିର ଅନେକ ଦାରିଦ୍ର୍ୟ ପ୍ରପୀଡ଼ିତ ଅଛନ୍ତି, ଯେଉଁମାନଙ୍କ ପିଲାଙ୍କ ପାଇଁ ସଂରକ୍ଷଣ ଓ ଅନ୍ୟାନ୍ୟ ପ୍ରୋତ୍ସାହନର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଆର୍ଥିକ ଦୁର୍ଗତଙ୍କ ପାଇଁ ଯେଉଁ ପଦକ୍ଷେପ ନେବାର ଘୋଷଣା କରିଛନ୍ତି, ତାହା ପର୍ଯ୍ୟାପ୍ତ ନୁହେଁ।
ସଂରକ୍ଷଣକୁ ନା କହିବା ତ ଦୂରର କଥା; ବରଂ ଅଧିକରୁ ଅଧିକ ଗୋଷ୍ଠୀ ନିଜ ପାଇଁ ସଂରକ୍ଷଣ ଦାବି ନେଇ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିବାର ନଜିର ରହିଛି। ଉଦାହରଣ ସ୍ବରୂପ, ଗୁଜରାଟର ‘ପଟେଲ’ ସଂପ୍ରଦାୟ ପାଇଁ ତରୁଣ ହାର୍ଦ୍ଦିକ ପଟେଲଙ୍କ ବୈପ୍ଳବିକ ଆନ୍ଦୋଳନ, ହରିୟାଣାର ଜାଠମାନଙ୍କର ସଂରକ୍ଷଣବାଦୀ ଆନ୍ଦୋଳନ ସବୁ ସୀମା ଟପି ଯାଇଥିଲା। ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝରର କୁଡମୀ ସଂପ୍ରଦାୟର ଆଦିବାସୀ ମାନ୍ୟତା ପ୍ରାପ୍ତିର ଆନ୍ଦୋଳନ ପ୍ରାୟତଃ ଲାଗିରହିଛି। ବିଶେଷକରି ଚାକିରି କ୍ଷେତ୍ରରେ ସୁବିଧା ହାସଲ ପାଇଁ କିଛି ସାଧାରଣବର୍ଗ ଚଞ୍ଚକତା ପୂର୍ବକ ସଂରକ୍ଷଣ ହାତେଇଥିବାର ଖବର ଗଣମାଧ୍ୟମରୁ ଶ୍ରୁତିଗୋଚର ହୋଇଛି। ସଂରକ୍ଷଣ ମାତ୍ରା ପଚାଶ ପ୍ରତିଶତରୁ ଅଧିକ ନ ହେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଥିଲେ ମଧ୍ୟ କେନ୍ଦ୍ର ଓ ପ୍ରାଦେଶିକ ସରକାରମାନେ ଏହାକୁ ବୃଦ୍ଧି କରିଚାଲିଛନ୍ତି। ଦେଶରେ ସମାନ ସଂରକ୍ଷଣ ନୀତି ଅନୁସୃତ ହୋଇ ପାରିନାହିଁ। ଫଳରେ ସୁପ୍ରିମ୍‌ କୋର୍ଟ ସଂରକ୍ଷଣ ନୀତିର ଧ୍ରୁବୀକରଣ ପାଇଁ ସମସ୍ତ ସରକାରଙ୍କର ମତାମତ ଲୋଡ଼ିଛନ୍ତି।
ସମ୍ପ୍ରତି ଓଡ଼ିଶା ସରକାର ସରକାରୀ ସ୍କୁଲ୍‌ କଲେଜରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ନିମିତ୍ତ ବୃତ୍ତିଗତ ଶିକ୍ଷା ଯଥା ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୫% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ୮୬% ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ମଧ୍ୟ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏମାନଙ୍କ ମଧ୍ୟରୁ ୨୩% ଯୋଗ୍ୟତା ହାସଲ କରିପାରୁଛନ୍ତି। ଅପରପକ୍ଷେ ଘରୋଇ ଶିକ୍ଷାନୁଷ୍ଠାନରେ ମାତ୍ର ୧୪% ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ମଧ୍ୟ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାର ୬୦%ରୁ ଊର୍ଦ୍ଧ୍ୱ ସିଟ୍‌ ସେମାନେ ଅକ୍ତିଆର କରିବାକୁ ସକ୍ଷମ ହେଉଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ପାଇଁ ୧୫% ସ୍ଥାନ ସଂରକ୍ଷଣକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ କିଛି ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ୫ ବର୍ଷ ପୂର୍ବରୁ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ କିଛି ସଂଖ୍ୟକ ମେଧାବୀ ଛାତ୍ରୀଛାତ୍ର ଘରୋଇ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ସରକାରୀ ଅନୁଷ୍ଠାନରେ ଅଧ୍ୟୟନ କରିଥାନ୍ତେ। ସଂରକ୍ଷଣ ବ୍ୟବସ୍ଥା ଖୁବ୍‌ଶୀଘ୍ର ଲାଗୁହେବା ଦ୍ୱାରା ସେମାନଙ୍କ ମଧ୍ୟରେ ହତାଶାଭାବ ସୃଷ୍ଟି ହୋଇଛି। ଜଣେ ୯୦% ମାର୍କ ରଖିଥିବା ପିଲା ସ୍ଥାନରେ ୬୦% ମାର୍କ ରଖିଥିବା ପିଲା ନାମ ଲେଖାଇବାକୁ ସକ୍ଷମ ହେବ। ଏହା ମେଧାବୀ ପିଲାଙ୍କ ପ୍ରତି କେବଳ ଅବିଚାର ନୁହେଁ; ବରଂ ମୂଲ୍ୟଯୁକ୍ତ ସେବା ଉପଲବ୍ଧିରେ ସନ୍ଦେହ ସୃଷ୍ଟି କରିବ। ତେଣୁ ସଂରକ୍ଷଣକୁ କିଛିଦିନ ବିଳମ୍ବିତ କରିବା ନ୍ୟାୟତଃ ଠିକ୍‌ ହେବ।
ସ୍ବାଧୀନୋତ୍ତର ଭାରତରେ ଇତିମଧ୍ୟରେ କେତେ ପଞ୍ଚବାର୍ଷିକ ଯୋଜନା, କେତେ ଅର୍ଥ କମିଶନ ବସି ସାରିବା ପରେ ମଧ୍ୟ ଅନୁସୂଚିତ ବର୍ଗଙ୍କର ଆର୍ଥିକ ବିକାଶ ଆଶାନୁରୂପ ହୋଇ ପାରିନାହିଁ। ଏତେ ଦୀର୍ଘକାଳ ଧରି ସଂରକ୍ଷଣ ବ୍ୟବସ୍ଥା ପ୍ରଚଳିତ ଥିଲେ ମଧ୍ୟ ଉକ୍ତ ବର୍ଗର ପ୍ରାୟ ୮୦% ଏଥିରୁ ବଞ୍ଚତ୍ତ। ଏହା ମୂଳରେ ସରକାରୀ ଉଦାସୀନତା ଓ ଦୁର୍ନୀତିକୁ ଦାୟୀ କରାଯାଇପାରେ। ବିଚାରପତି ଜେ.ବି. ପାର୍ଡିୱାଲା ମଧ୍ୟ ସଂରକ୍ଷଣ ବ୍ୟତୀତ ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଦୁର୍ନୀତି ଏକ ମହାଦ୍ରୁମରେ ପରିଣତ ହୋଇ ସାରିଲାଣି। ଏହାର ଉପତ୍ାଟନ ଆଉ ସହଜ ମନେ ହେଉନାହିଁ। ଗୋଟିଏ ଅମୃତଭାଣ୍ଡରେ ଟୋପାଏ ବିଷ ମିଶିଲେ ଯେପରି ଭାଣ୍ଡଟି ବିଷମୟ ହୋଇଯାଏ, ଠିକ୍‌ ସେହିପରି ସରକାରଙ୍କ ସମସ୍ତ ଯୋଜନାକୁ ଦୁର୍ନୀତି ହିଁ ପଣ୍ଡ କରିଦେଉଛି। ଅନେକ ଦୁର୍ନୀତିିଗ୍ରସ୍ତଙ୍କ ଉପରେ ସରକାର ଇତିମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି। କାହାକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ତ ପୁଣି କାହାର ପେନ୍‌ସନ୍‌ ବନ୍ଦ କରାଯାଇଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ପର୍ବତ ଉପରୁ କ୍ଷିପ୍ର ଗତିରେ ଆସୁଥିବା ଜଳଧାରାକୁ କିପରି ଅଟକାଇ ହେବ? ଯେତେ ପ୍ରତିକାର କଲେ ମଧ୍ୟ ସବୁ ବୃଥା। ଡାଳ କାଟିଲେ ବୃକ୍ଷ ମରେନାହିଁ। ସେଦିନ ସେ ଆଦିବାସୀ ବୃଦ୍ଧା ଜଣକ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଖୋଦ୍‌ ଜିଲାପାଳଙ୍କ ହାତକୁ ୧୫୦୦ ଟଙ୍କାର ନୋଟବିଡ଼ା ବଢ଼ାଇ ଦେଇ କହିଥିଲା, ”ବାବୁ! ଏ ଟଙ୍କାତକ ନିଅ, ଆଉ ମୋ’ କାମ କରାଇଦିଅ। ବହୁ ଜାଗାରୁ ନିରାଶ ହୋଇ ତୁମ ପାଖକୁ ଆାସିଛି।“ ବୃଦ୍ଧା ଜଣକ ନିଃସନ୍ତାନ। ସ୍ବାମୀଙ୍କ ମୃତ୍ୟୁ ପରେ ଜଣେ ପ୍ରଭାବଶାଳୀ ଉଚ୍ଚ ବର୍ଗର ବ୍ୟକ୍ତି ଚଞ୍ଚକତା କରି ତାଙ୍କର ୫ ଏକର ଜମି ହାତେଇ ନେଇଛି। ବିଚାରୀ ବୃଦ୍ଧା ଜଣକ ତହସିଲ ଅଫିସ୍‌ଠାରୁ ଜିଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ସବୁଠାରୁ ନିରାଶ ହେଲା ପରେ କେହି ଜଣେ ପରାମର୍ଶଦାତା କଥାରେ ଖୋଦ୍‌ ଜିଲାପାଳଙ୍କୁ ଲାଞ୍ଚ ଯାଚୁଛି। ପ୍ରାୟ ୩ ବର୍ଷତଳେ ଘଟିଥିବା ଏ ଘଟଣା ଆଜି ମଧ୍ୟ ଆମ ବ୍ୟବସ୍ଥା ପ୍ରତି ଏକ ଆହ୍ବାନ। ଜିଲାପାଳ କ୍ରୋଧ ଓ ବିରକ୍ତିକୁ ଚାପିରଖି ସମ୍ପୃକ୍ତ ତହସିଲଦାରଙ୍କୁ ଏହାର ବିଚାର ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ। ବର୍ତ୍ତମାନ ଚିନ୍ତା କରିବା କଥା, ଏ ଜନଜାତି ଅଶିକ୍ଷିତା ବୃଦ୍ଧାଟି ସହଜରେ ବୁଝିପାରିଛି ଯେ ଏ ଦେଶରେ ଲାଞ୍ଚ ବିନା କୌଣସି କାର୍ଯ୍ୟ ହୁଏନା। ବୃଦ୍ଧା ଯେଉଁ ଯେଉଁ ସରକାରୀ ଅଧିକାରୀଙ୍କ ପାଖକୁ ଯାଇଛି, ସମସ୍ତେ ଜାଣନ୍ତି ସତ୍ୟ କ’ଣ। ଏକଥା ମଧ୍ୟ ସେମାନେ ଜାଣନ୍ତି ଯେ, ବୃଦ୍ଧା ଜଣକ ସଂରକ୍ଷିତ ବର୍ଗର ବ୍ୟକ୍ତି। ବର୍ତ୍ତମାନ ପ୍ରଶ୍ନଉଠେ, ଏ ସମସ୍ୟାର ସମାଧାନ ପାଇଁ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ଅଛି ନା ନାହିଁ? ତେବେ କ’ଣ ସଂରକ୍ଷଣ କେବଳ ଶିକ୍ଷା ଓ ଚାକିରି ପାଇଁ ଉଦ୍ଦିଷ୍ଟ? ସଂରକ୍ଷଣ ବ୍ୟବସ୍ଥାର ସାମାଜିକ ଦିଗ ଆଜି ସଂପୂର୍ଣ୍ଣ ଅନ୍ଧକାରମୟ।
ସଂରକ୍ଷଣ ବ୍ୟବସ୍ଥାକୁ ଯଦି ଆର୍ଥିକ, ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ସମାନ ଭାବରେ ଦୃଷ୍ଟି ଦିଆଯାଇଥାଆନ୍ତା, ତେବେ ବର୍ତ୍ତମାନ ଆଉ ସଂରକ୍ଷଣର ଆବଶ୍ୟକତା ପଡୁନଥାଆନ୍ତା। ଏବେ ସମୟ ଆସିଛି, ନିଷ୍ଠାର ସହ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ଲୋଡ଼ା ଓ ଲୋଡ଼ା ମଧ୍ୟ ସଭିଙ୍କର ଗଭୀର ଆନ୍ତରିକତା।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ- ୯୯୩୭୪୫୦୫୪୦