Categories: ଖେଳ

ପ୍ରତିଟି ମ୍ୟାଚ୍‌କୁ ଶେଷ ମ୍ୟାଚ୍‌ ଭାବି ଖେଳୁଛି: କୋହଲି

ଗୁଆହାଟି,୧୧।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ବ୍ରେକ୍‌ରୁ ଫେରି ସେ ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ୮୭ ବଲ୍‌ରେ ବିସ୍ଫୋରକ ୧୧୩ରନ୍‌ର ଇନିଂସ ଯୋଗୁ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ମଧ୍ୟ ଚୟନ କରାଯାଇଥିଲା। ହେଲେ ମୁକାବିଲା ପରେ ସେ ଏଭଳି ଏକ ମନ୍ତବ୍ୟ ଦେଇଥିଲେ ଯାହାକି ଅନେକଙ୍କୁ ଚକିତ କରିଛି। ଏବେ ସେ ପ୍ରତିଟି ମ୍ୟାଚ୍‌କୁ ନିଜର ଶେଷ ମୁକାବିଲା ଭାବି ଖେଳୁଛନ୍ତି। ଏହାର ଉପଭୋଗ କରୁଛନ୍ତି ବୋଲି କୋହଲି କହିଥିଲେ। କେଉଁ କାରଣରୁ ସେ ଏଭଳି ବୟାନ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଆଜିକାଲି ସେ ଚିନ୍ତାରେ ନ ଥାଇ ଖେଳୁଛନ୍ତି ତାହା ଜଣାଇଛନ୍ତି।

ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ହେବା ପରେ କୋହଲି କହିଛନ୍ତି, ମୁଁ ଗୋଟିଏ ଜିନିଷ ଶିଖିଛି। ସେଇଟି ହେଲା ନିରାଶ ହେଲେ ଆପଣ କିଛି କରିପାରିବେ ନାହିଁ। ଖେଳ ବହୁତ ସରଳ। ଆମେ ନିଜର ଇଚ୍ଛା ଯୋଗୁ ଏହାକୁ କଷ୍ଟକର କରିଥାଉ। ଲୋକଙ୍କ ଚିନ୍ତାଧାରା ଭଳି ଆମେ ଭାବିଥାଉ। ସେଭଳି ନିଜକୁ ଗଢ଼ିଥାଉ। ବାସ୍ତବିକତା ଏହା ଯେ ଆମକୁ ନିର୍ଡର ହୋଇ ଖେଳିବାର ଆବଶ୍ୟକତା ରହିଛି। ସଠିକ କାରଣ ସହ ଆମକୁ ଖେଳିବା ଦରକାର। ପ୍ରାୟ ସମସ୍ତ ମ୍ୟାଚ୍‌ ଏଭଳି ଖେଳୁଛି, ଯେମିତି ଏହା ଅନ୍ତିମ ମ୍ୟାଚ୍‌ । ଏହାକୁ ନେଇ ମୁଁ ବହୁତ ଖୁସି ମଧ୍ୟ। ଦୁଃଖି ହେବାର ଆବଶ୍ୟକତା ଏଥିରେ ନାହିଁ। ଯାହାକି ମୁଁ ଶିଖିଛି ବୋଲି ସେ କହିଛନ୍ତି।

Share