ପରୀକ୍ଷା ଫି’ ଫେରାଇବାକୁ ବିଚାରକର

ନୂଆଦିଲ୍ଲୀ, ୧୫ା୭: କୋଭିଡ୍‌ ମହାମାରୀ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଚଳିତ ବର୍ଷ ବାତିଲ କରି ଦିଆଯାଇଛି। ତେଣୁ ପିଲାଙ୍କଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ ଫେରାଇବାକୁ ସିବିଏସ୍‌ଇ ୮ ସପ୍ତାହ ମଧ୍ୟରେ ବିଚାର କରୁ ବୋଲି ଦିଲ୍ଲୀ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ବାବଦକୁ ୨୧ଶହ ଟଙ୍କା ଦେଇଥିବା ଜଣେ ଦଶମ ଛାତ୍ରଙ୍କ ମା’ ଦୀପା ଯୋସେଫ୍‌ଙ୍କ ପକ୍ଷରୁ ଏ ନେଇ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ପ୍ରତୀକ ଜଲାନ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡର କୌଣସି ପଦକ୍ଷେପ ଉଭୟ ପକ୍ଷ ପାଇଁ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଯଦି ଯୋସେଫ୍‌ ଏଥିରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ପରୀକ୍ଷା ବାତିଲ ନିଷ୍ପତ୍ତି ସିବିଏସ୍‌ଇ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି କୋର୍ଟ କହିଛନ୍ତି।

Share