Advertisement

୪ କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୪।୧(ପି.ଟି.): ୪ ଜଣ କୃଷକ ନେତାଙ୍କୁ ହତ୍ୟା କରିବା ସହ ଜାନୁୟାରୀ ୨୬ରେ ଦିଲ୍ଲୀରେ ହେବାକୁ ଥିବା ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଭଣ୍ଡୁର କରିବା ନିମନ୍ତେ ଷଡ଼ଯନ୍ତ୍ର ହେଉଥିବା ଶନିବାର ଆନ୍ଦୋଳନରତ ଚାଷୀ ସଂଗଠନର ନେତାମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ସିଙ୍ଘୁ ସୀମାର ଆନ୍ଦୋଳନ ସ୍ଥଳରୁ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଚାଷୀମାନେ କାବୁ କରିନେଇ ଏକ ଖବରଦାତା ସମ୍ମିଳନୀରେ ହାଜର କରାଇଥିଲେ। କୃଷକ ନେତାଙ୍କୁ ଗୁଳି କରିବା ଲାଗି ତାଙ୍କୁ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି। ଟ୍ରାକ୍ଟର ରାଲି ବେଳେ ତାଙ୍କ ସହଯୋଗୀମାନଙ୍କୁ ପୋଲିସ ପୋଷାକରେ ରହି ଚାଷୀଙ୍କ ଉପରେ ଲାଠିମାଡ଼ କରିବାକୁ କୁହାଯାଇଥିବା ସେ ସ୍ବୀକାର କରିଥିଲେ। ଯୋଗେଶ ନାମକ ଉକ୍ତ ବ୍ୟକ୍ତିଙ୍କୁ ସୋନେପତ୍‌ ପୋଲିସ ଗିରଫ କରିଛି। ପରେ ସେ ମତ ବଦଳାଇ ଚାଷୀମାନେ ପ୍ରସ୍ତୁତ କରିଥିବା ଲେଖାକୁ ଗଣମାଧ୍ୟମ ଆଗରେ ପଢ଼ିଥିବା କହିଛନ୍ତି।
୩ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ହେଉଛି ବୋଲି କୃଷକ ନେତା କୁଲଓ୍ବନ୍ତ ସିଂ ସାନ୍ଧୁ ଅଭିଯୋଗ କରିଛନ୍ତି। ଷଡ଼ଯନ୍ତ୍ର ଅନୁଯାୟୀ ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀ ପୋଲିସ ଉପରକୁ ଗୁଳି କରାଯିବ। ଫଳରେ ପୋଲିସ ଆନ୍ଦୋଳନରତ ଚାଷୀଙ୍କ ଉପରେ ଜୋର୍‌ଦାର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସାନ୍ଧୁ କହିଛନ୍ତି। ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର ଚାଷୀ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧକରି ଗତବର୍ଷ ନଭେମ୍ବର ୨୮ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ୩ ଆଇନ ପ୍ରତ୍ୟାହାର ସହ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଚାହୁଁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share