Categories: ଜାତୀୟ

ଦିଲ୍ଲୀକୁ ଅନ୍ଧାର କରିବା ଲାଗି ଷଡ଼ଯନ୍ତ୍ର: ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ ଉପରେ କଡ଼ା ନଜର

ନୂଆଦିଲ୍ଲୀ, ୨୫।୧: ଜାନୁୟାରୀ ୨୬ ଅବସରରେ ରାଜଧାନୀ ଦିଲ୍ଲୀରେ ପାଓ୍ବାର କଟ୍‌ କରି ଅନ୍ଧାର କରିବା ଲାଗି ଖଲିସ୍ତାନ ସମର୍ଥନ ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ପ୍ରଦାନ କରାଯାଇଛି। ଏନେଇ ବିଏସ୍‌ଇଏସ୍‌ ଏବଂ ଦିଲ୍ଲୀ ପୋଲିସକୁ ମଧ୍ୟ ଗୁପ୍ତ ସତର୍କ ସୂଚନା ମିଳିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଡିସ୍କମ୍‌, ପାଓ୍ବାର ଗ୍ରୀଡ୍‌ ଏବଂ ପାଓ୍ବାର ସବ୍‌-ଷ୍ଟେଶନ ଆଦିର ସୁରକ୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ପକ୍ଷରୁ ଶିଖ୍‌ ଫର୍‌ ଜଷ୍ଟିସ୍‌ ସଦସ୍ୟଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ହେବାକୁ ଥିବା ଟ୍ରାକ୍ଟର ରାଲିରେ ଗଣ୍ଡଗୋଳ ସୃଷ୍ଟି ଲାଗି ଯୋଜନା କରାଯାଇଛି। ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ରେ ଭାରତ ବିରୋଧରେ ରାଲି ସମୟରେ ହିଂସାକାଣ୍ଡ ଘଟାଇବା ଲାଗ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ ସୂଚନା ଦେଇଛନ୍ତି। ଏହି ଟୁଇଟର ହ୍ୟାଣ୍ଡେଲ ସମ୍ପର୍କିତ ୧ ମିନିଟ୍‌ ୨୯ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ ଉପରେ କଡ଼ା ନଜର ରଖାଯାଇଥିବା ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର କହିଛନ୍ତି।

Share