Categories: ଜାତୀୟ

ସ୍ଲିପରସେଲ୍‌ ନେଟ୍‌ଓ୍ବାର୍କ ବୃଦ୍ଧି ପାଇଁ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୦।୧୨: ବିହାରରେ ଆତଙ୍କବାଦୀଙ୍କ ପକ୍ଷରୁ ସ୍ଲିପରସେଲ୍‌ ନେଟ୍‌ଓ୍ବାର୍କ ବୃଦ୍ଧି ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ଏଭଳି କାର୍ଯ୍ୟ ଜାରି ରହିଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ତଥା ନେପାଳ ଏବଂ ବାଂଲାଦେଶରେ ବସି ଆତଙ୍କବାଦୀ ମୁଖିଆମାନେ ରାଜ୍ୟର ପୂର୍ଣ୍ଣିଆ,କଟିହାର, କିଶନଗଞ୍ଜ,ମଧୁବନି, ସମସ୍ତିପୁର ଏବଂ ଦରଭଙ୍ଗା ଆଦି ଜିଲାରେ ସ୍ଲିପରସେଲ୍‌ ନେଟ୍‌ ଓ୍ବାର୍କ ବଢ଼ାଇବା କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ସ୍ଲିପରସେଲ୍‌କୁ ପାଣ୍ଠି ଯୋଗାଣ ମଧ୍ୟ ଜାରି ରହିଥିବା କୁହାଯାଉଛି। ଧରାପଡ଼ିଥିବା ୫ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ପଚରା ଉଚରା ସମୟରେ ଏହା ଜଣାପଡ଼ିଛି। କଟିହାର ଏସ୍‌ପି ବିକାଶ କୁମାର ମିଳିଥିବା ତଥ୍ୟକୁ ସୁରକ୍ଷା ଏଜେନ୍ସି ଏବଂ ଗୋଇନ୍ଦା ବିଭାଗକୁ ହସ୍ତାନ୍ତର କରିଛନ୍ତି। ସୁରକ୍ଷା ଏଜେନ୍ସି ପକ୍ଷରୁ ଶୀଘ୍ର ସମ୍ପୃକ୍ତ ଆଫଗାନିସ୍ତାନ ନାଗରିକଙ୍କୁ ପଚରା ଉଚରା ପାଇଁ ରିମାଣ୍ଡରେ ନିଆଯିବ ବୋଲି କୁହାଯାଉଛି।

Share