ଭୁବନେଶ୍ୱର,୧୩।୪(ସୁନିତ୍ ମିଶ୍ର): ରାଜ୍ୟ ସରକାର ଲଜ୍ଜାର ସବୁ ସୀମା ଅତିକ୍ରମ କରିଗଲେଣି। ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ୮ ଜଣ ଅଫିସରଙ୍କୁ ବଦଳିକଲେ। ସମସ୍ତ ସରକାରୀ ପୋର୍ଟାଲରୁ ୫-ଟିର ଉଲ୍ଲେଖକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପରେ ରାଜ୍ୟ ସକରାର ବାଧ୍ୟହୋଇ ତାହା ହଟାଇଥିଲେ। ଏହାସତ୍ତ୍ୱେ ପ୍ରଶାସନର ଚେତା ପଶିଲା ନାହିଁ। ଗତ ୧୦ ତାରିଖରେ ପ୍ରଶାସନ ଏକ ଚିଠି ଲେଖିଛି। ଏହି ଚିଠିରେ ୯୩ଟି ବ୍ଲକ୍ର ଯେତେସବୁ ମୋ ସ୍କୁଲର ୫-ଟିରେ ରୂପାନ୍ତରୀକରଣ ହୋଇଛି ସେ ସ୍କୁଲଗୁଡ଼ିକର ତର୍ଜମା ପାଇଁ ୯୩ ଜଣ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି କରାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏମାନଙ୍କ ମଧ୍ୟରେ ଅଧିକାଂଶ ସ୍ବେଚ୍ଛାସେବୀ ବା ପରାମର୍ଶଦାତା ବୋଲି ଉଲ୍ଲେଖ ଅଛି। କିନ୍ତୁ ବାସ୍ତବରେ ବିଜେଡିର କେତେଜଣ ସ୍ଥାନୀୟ କର୍ମୀ ତର୍ଜମା ଆଳରେ ପ୍ରଧାନ ଶିକ୍ଷକମାନଙ୍କୁ ବିଜେଡି ସପକ୍ଷରେ କାମ କରିବାକୁ ଚାପ ପକାଇବା ପାଇଁ ଏହା ଏକ ହୀନ ଷଡ଼ଯନ୍ତ୍ର ବୋଲି ଭାଜପା ଅଭିଯୋଗ କରିଛି। ଏହି ଅଭିଯୋଗ ନେଇ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଶୁକ୍ରବାର ଫେରାଦ ହୋଇଛି। ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ବିଜେଡି ନିର୍ବାଚନ ବୈତରଣୀ ପାରହେବା ପାଇଁ ସବୁ ସୀମା ଉଲ୍ଲଂଘନ କରୁଛି। ଉଦାହରଣ ସ୍ବରୂପ, ସୁନ୍ଦରଗଡ଼ ଏସ୍ଡିପିଓ ହିଂମାଶୁ ଭୂଷଣ ବେହେରା ଏବଂ ଭଷ୍ମା ଥାନାର ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ ବିଜେଡିର ସାଧାରଣ କର୍ମୀଙ୍କଠାରୁ ଅଧିକ ଉତ୍ସାହିତ ହୋଇ ନିର୍ବାଚନରେ ଦଳୀୟ କାର୍ଯ୍ୟ କରୁଛନ୍ତି। ଏହି ୨ ଜଣ ନିର୍ବାଚନମଣ୍ଡଳୀର ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଉଛନ୍ତି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି। ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ୧୭୧(ସି)ରେ ମକଦ୍ଦମା ରୁଜୁ କରାଯାଉ ବୋଲି ଭାଜପା ଦାବି କରିଛି।