ଆଦିବାସୀଙ୍କୁ ଭୂମିହୀନ କରିବାର ଷଡ଼ଯନ୍ତ୍ର

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ଗତ ୧୪ ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ସରକାର ଆଦିବାସୀ ଜମି ହସ୍ତାନ୍ତର ରୋକିବା ସଂକ୍ରାନ୍ତୀୟ ରହିଥିବା ଆଇନରେ କରିଥିବା ଗୁରୁତ୍ତ୍ୱପୂର୍ଣ୍ଣ ସଂଶୋଧନକୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ସ୍ଥଗିତ ରଖିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବିନା କୌଣସି ବିଚାରବିମର୍ଶରେ ସରକାର ଆଦିବାସୀଙ୍କ ଜମିକୁ ଅଣଆଦିବାସୀମାନେ କିଣିବା ପାଇଁ ପୂର୍ବରୁ ରହିଥିବା କଟକଣାକୁ ହଟେଇବାକୁ ଯେଉଁ ତରବରିଆ ନିଷ୍ପତ୍ତି ନେଇଥିଲେ, ତାରି ଫଳରେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ରାଜ୍ୟରେ ବିଶେଷକରି ଆଦିବାସୀଙ୍କ ଭିତରେ ଆଶଙ୍କା ସୃଷ୍ଟିହେବା ସହ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରାଜ୍ୟର ଆଦିବାସୀ ଓ କୃଷକ ସଙ୍ଗଠନଗୁଡ଼ିକ ସରକାର କର୍ପୋରେଟ୍‌ଙ୍କ ସ୍ବାର୍ଥରେ ଆଦିବାସୀ ଜମି ଅକ୍ତିଆରକୁ ସହଜ କରିବା ପାଇଁ ଏହି ସଂଶୋଧନ ଆଣିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ରାଜ୍ୟରେ ଆଦିବାସୀମାନଙ୍କ ଜମି ଉପରେ ସେମାନଙ୍କ ମାଲିକାନାକୁ ସୁରକ୍ଷିତ ରଖି ସେମାନଙ୍କୁ ଭୂମିହୀନ ହେବାରୁ ରୋକିବାକୁ ୧୯୫୬ରେ ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର(ଅନୁସୂଚିତ ଜନଜାତି)ନିବାରଣ ଆଇନ- ୧୯୫୬ ପ୍ରଣୟନ କରାଯାଇଥିଲା। କିନ୍ତୁ ଏହା କେବଳ ରାଜ୍ୟର ଅନୁସୂଚିତ ଅଞ୍ଚଳ ରୂପେ ପରିଚିତ ୧୧୯ଟି ବ୍ଲକ୍‌ରେ ରହୁଥିବା ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ଏହି ଆଇନରେ ଅନେକ ଦୁର୍ବଳତା ରହିଥିବାରୁ ଏବଂ ଉପଜିଲାପାଳଙ୍କ ଅନୁମତି ନେଇ ଆଦିବାସୀଙ୍କ ଜମିକୁ ନେବାର ବ୍ୟବସ୍ଥା ଥିବାରୁ, ତା’ର ସୁଯୋଗ ନେଇ ଅଣଆଦିବାସୀ ସମ୍ପ୍ରଦାୟର ଧନୀ ଓ ପ୍ରଭାବଶାଳୀ ଲୋକେ ଆଦିବାସୀଙ୍କ ଜମିକୁ ଆଇନଗତ ଭାବେ ହଡ଼ପ କରିବାରେ ସଫଳ ହୋଇଥିଲେ। ଫଳସ୍ବରୂପ ଆଦିବାସୀଙ୍କଠାରୁ ବ୍ୟାପକ ପରିମାଣର ଜମି ଚାଲିଯାଇ ସେମାନଙ୍କ ଭୂମିହୀନତା ବଢ଼ିବା ସହିତ ସେମାନଙ୍କ ମଧ୍ୟରେ ଜମିକୁ ନେଇ ଅସନ୍ତୋଷ ବଢ଼ିବାକୁ ଲାଗିଲା। ୨୦୦୦ ବେଳକୁ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲାଗୁଡ଼ିକରେ ନିଜର ଅପହୃତ ଜମିକୁ ପ୍ରତ୍ୟାହାର ଦାବିରେ ଆଦିବାସୀମାନଙ୍କ ବଡ଼ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏସବୁ ଆନ୍ଦୋଳନର ଚାପରେ ସରକାର ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ରୋକିବା ପାଇଁ ଆଇନରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ସଂଶୋଧନ କରିଥିଲେ, ଯାହାକି ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ୪ ସେପ୍ଟେମ୍ବର ୨୦୦୨ରେ ଆଇନରେ ପରିଣତ ହୋଇଥିଲା। ସଂଶୋଧିତ ଆଇନରେ ଅଣଆଦିବାସୀଙ୍କୁ ଆଦିବାସୀଙ୍କ ଜମିର ସମସ୍ତ ପ୍ରକାର କିଣାବିକାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା। ଏହାବାଦ୍‌ ପିଛିଲା ଭାବେ ଅଣଆଦିବାସୀଙ୍କ ଦଖଲକୁ ଚାଲିଯାଇଥିବା ଆଦିବାସୀଙ୍କ ଜମିର ହସ୍ତାନ୍ତର ସମ୍ପର୍କରେ ଅଣଆଦିବାସୀ ଜମି ମାଲିକମାନେ ସ୍ବତଃ ସତ୍ୟପାଠ ଦାଖଲ କରିବାକୁ ବ୍ୟବସ୍ଥା ରହିଥିଲା।
ତେବେ ୨୦୦୨ର ଏହି ସଂଶୋଧନ ପରେ ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଜମିର ଆନୁଷ୍ଠାନିକ ଭାବେ ହସ୍ତାନ୍ତର ପ୍ରାୟତଃ ରୋକିଯାଇଥିଲା। କେବଳ ବିଭିନ୍ନ ପ୍ରକଳ୍ପ ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥାର ଅଧିଗ୍ରହଣ ଯୋଗୁ ଆଦିବାସୀଙ୍କ ହାତରୁ କିଛି ଜମି ଚାଲିଯାଇଥିଲା। ଅନ୍ୟପଟେ ନୂଆ ନିୟମ ପ୍ରକାରେ ଯଦିଓ ଆଦିବାସୀଙ୍କ ଜମି କିଣିଥିବା ସବୁ ଅଣଆଦିବାସୀ ଜମି ମାଲିକ ନିଜଆଡ଼ୁ ସତ୍ୟପାଠ ଦେଲେନାହିଁ, କିନ୍ତୁ କିଛି ସ୍ଥାନରେ ଆଦିବାସୀଙ୍କ ଅଭିଯୋଗକ୍ରମେ ସେମାନଙ୍କ ଅପହୃତ ଜମି ସେମାନଙ୍କ ପାଖକୁ ଫେରିଆସିଥିଲା। ତେବେ ଅଣଆଦିବାସୀ ଜମି ମାଲିକମାନଙ୍କୁ ସୁହାଉ ନ ଥିବା ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ପ୍ରଥମରୁ ହିଁ ସେମାନେ ଦାବି କରୁଥିଲେ। ଏହାକୁ ଖାରଜ କରିବାକୁ ୨୦୦୬-୧୦ ମଧ୍ୟରେ ସେମାନେ ହାଇକୋର୍ଟରେ ୧୦୫ଟି ପିଟିଶନ ଦାଏର କରିଥିଲେ। ୨୦୧୯ରେ ହାଇକୋର୍ଟଙ୍କ ଏକ ଦୁଇଜଣିଆ ଖଣ୍ଡପୀଠ ଏହିସବୁ ପିଟିଶନର ବିଚାରକରି ଉପରୋକ୍ତ ବ୍ୟବସ୍ଥାକୁ ପିଛିଲା ତାରିଖରୁ ଲାଗୁ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର କିନ୍ତୁ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଉପର କୋର୍ଟରେ ଆଉ ଅପିଲ କରି ନ ଥିଲେ। ଅତଏବ ଆଦିବାସୀ ଜମି ହସ୍ତାନ୍ତର ନିରାକରଣ ଆଇନରେ ୨୦୦୨ରେ ହୋଇଥିବା ସଂଶୋଧନର ଗୋଟିଏ ଧାରାକୁ ପୂର୍ବରୁ ହାଇକୋର୍ଟ ଉଚ୍ଛେଦ କରିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ତା’ର ଦ୍ୱିତୀୟ ବ୍ୟବସ୍ଥାଟିକୁ ଖାରଜ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣ୍ଣ ଭାବେ ଆଦିବାସୀବିରୋଧୀ। ଏହାଫଳରେ ଆଇନଟି ୨୦୦୦ର ପୂର୍ବସ୍ଥିତିକୁ ଫେରିଯାଇଛି। ଅର୍ଥାତ୍‌ ଏଣିକି ଅଣଆଦିବାସୀ ଯେଉଁମାନଙ୍କ ମଧ୍ୟରେ ବଡ଼ କମ୍ପାନୀ ଓ ସରକାର ରହିଛନ୍ତି, ଆଦିବାସୀଙ୍କ ଜମିକୁ ନେବାରେ ଆଉ ଆଇନଗତ ପ୍ରତିବନ୍ଧକ ରହିବନାହିଁ।
ପ୍ରଶ୍ନ ଉଠେ, ସରକାର ୨୦୦୨ରେ ଯେଉଁ ପରିସ୍ଥିତିରେ ଆଦିବାସୀ ଜମି ସଂକ୍ରାନ୍ତୀୟ ସଂଶୋଧନ ଆଣିଥିଲେ, ଆଜି କ’ଣ ସେଥିରେ ପରିବର୍ତ୍ତନ ଘଟିଛି? ଗତ ଦୁଇ ଦଶକ ମଧ୍ୟରେ ଆଦିବାସୀମାନେ କ’ଣ ପ୍ରଚୁର ଜମିର ମାଲିକ ହୋଇଗଲେଣି ନା ସେମାନଙ୍କର ଆଉ ଜମି ହସ୍ତାନ୍ତର ହେବନି ବୋଲି ସରକାର ନିଶ୍ଚିତ ଅଛନ୍ତି? କିନ୍ତୁ ଏହାର ବିପରୀତ ଦେଶର ମହାଲେଖାଗାର ତାଙ୍କ ରିପୋର୍ଟରେ ରାଜ୍ୟରେ ଆଦିବାସୀଙ୍କ ଜମିର ସ୍ଥିତିକୁ ଅଧ୍ୟୟନ କରି ୨୦୦୫-୧୬ରୁ ୨୦୧୫-୧୬ ମଧ୍ୟରେ ଅର୍ଥାତ୍‌ ଦଶବର୍ଷ ମଧ୍ୟରେ ଆଦିବାସୀଙ୍କ ଜନସଂଖ୍ୟା ବଢ଼ିଥିବା ବେଳେ ସେମାନଙ୍କ ଦଖଲରେ ଥିବା ଜମିର ପରିମାଣ ୧୭.୪୮ ଲକ୍ଷ ହେକ୍ଟରରୁ ୧୫.୩୮ ଲକ୍ଷ ହେକ୍ଟରକୁ ଅର୍ଥାତ୍‌ ୧୨% ହ୍ରାସ ପାଇଛି ବୋଲି କହିଛନ୍ତି। ଏଭଳି ସ୍ଥିତିରେ ଆଇନକୁ କୋହଳ କରି ଅଣଆଦିବାସୀଙ୍କୁ ଜମି ହସ୍ତାନ୍ତର ପାଇଁ ଅନୁମତି ଦେବା ଆଦିବାସୀଙ୍କୁ ଧୀରେ ଧୀରେ ଜମିହୀନ କରାଇବ।
ସରକାରଙ୍କ ଯୁକ୍ତି ହେଲା, ଆଦିବାସୀ ଜମିର ହସ୍ତାନ୍ତର ଉପରେ ରହିଥିବା କଟକଣା ଯୋଗୁ ସ୍ବଚ୍ଛଳ ଆଦିବାସୀମାନେ ନିଜର ଜମିକୁ ବଜାର ଦରରେ ବିକ୍ରି କରିବା ସମ୍ଭବ ହେଉନି। ନିଜ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ପାଇବାରେ ସମସ୍ୟା ହେଉଛି। ବିଦେଶ ଭ୍ରମଣ, ବିଦେଶରେ ପାଠ ପଢ଼ିବା ଓ ଚିକିତ୍ସା ପାଇଁ ଋଣ ପାଇବାକୁ ହେଲେ ଏହି ଆଇନ ପ୍ରତିବନ୍ଧକ ସାଜୁଛି। ଅତଏବ ଆଦିବାସୀମାନଙ୍କୁ ହିଁ ସାହାଯ୍ୟ କରିବା ପାଇଁ ତଥା ସେମାନଙ୍କ ଭିତରେ ଉଦ୍ୟଗୀ, ଠିକାଦାର, ବ୍ୟବସାୟୀ ଆଦି ସୃଷ୍ଟି କରିବା ପାଇଁ ଏହି କଟକଣାକୁ ଉଠେଇଦେବା ଜରୁରୀ ଥିଲା ବୋଲି କୁହାଯାଇଛି।
ଏଠାରେ ପ୍ରଶ୍ନ ଉଠେ, ଆଦିବାସୀଙ୍କ ମଧ୍ୟରେ ଏଭଳି ସ୍ବଚ୍ଛଳ ଲୋକଙ୍କ ସଂଖ୍ୟା କେତେ, ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଅଥବା ଶିଳ୍ପ କାରଖାନା କରିବାକୁ ଆଗ୍ରହୀ? ବୋଧହୁଏ ସେଭଳି ଲୋକଙ୍କ ସଂଖ୍ୟା ରାଜ୍ୟର ମୋଟ୍‌ ଆଦିବାସୀଙ୍କ ସଂଖ୍ୟାର ୧%ରୁ ଅଧିକ ହେବ କି ନାହିଁ ସନ୍ଦେହ! ଏହା ବ୍ୟତୀତ ସରକାର ଏହା ଏକ ଗୁରୁତର ସମସ୍ୟା ବୋଲି କେଉଁ ଆଧାରରେ ଜାଣିଲେ? ସରକାର କେବେ ଆଦିବାସୀମାନଙ୍କ ଜମି ମାଲିକାନା ଅଥବା ସାମାଜିକ ଅର୍ଥନୈତିକ ସମସ୍ୟାକୁ ଜାଣିବା ପାଇଁ ଅଧ୍ୟୟନ କିମ୍ବା ସର୍ଭେ କରିଛନ୍ତି କି? ଯଦି ନାହିଁ ତା’ହେଲେ ସରକାରଙ୍କ ନିଷ୍ପତ୍ତିକୁ ଏକପାଖିଆ ବୋଲି କୁହାଯିବ। କାରଣ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିଟି ହୁଏତ ମାତ୍ର ଏକଭାଗ ଆଦିବାସୀଙ୍କୁ ସାହାଯ୍ୟ କରିପାରେ, କିନ୍ତୁ ଏହାଫଳରେ ୯୫%ରୁ ଅଧିକ ଆଦିବାସୀ କ୍ଷତିଗ୍ରସ୍ତ ହେବେ।
ଅନ୍ୟପଟେ ରାଜ୍ୟରେ ଜମି ଓ ଜଙ୍ଗଲ ଉପରେ ଅଧିକାର ଦେବାକୁ ଆଦିବାସୀମାନେ ବାରମ୍ବାର ଦାବିକରି ଆସିଥିଲେ ମଧ୍ୟ ସରକାର କେବେ ତାକୁ ଗୁରୁତ୍ୱ ଦେଇନାହାନ୍ତି। ରାଜ୍ୟରେ ପୂର୍ବରୁ ଭୂମିହୀନ ଲୋକ ବିଶେଷକରି ଆଦିବାସୀ ଓ ଦଳିତଙ୍କୁ ସରକାରୀ ଓ ସିଲିଂ ବହିର୍ଭୂତ ଜମି ବଣ୍ଟନ କରାଯାଉଥିବାବେଳେ ତାହା ଗତ ଦୁଇ ଦଶନ୍ଧି ଧରି ସରକାର ବନ୍ଦ ରଖିଛନ୍ତି। ଏବେ ସରକାରୀ ଜମିକୁ ଗରିବଙ୍କୁ ବାଣ୍ଟିବା ବଦଳରେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ରହିଛି। ଯାହାଫଳରେ ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଷ ଓ ବାସକରି ରହିଥିବା ରାଜ୍ୟର ଲକ୍ଷ ଲକ୍ଷ ଆଦିବାସୀଙ୍କ ଦଖଲ ନିୟମିତ ହୋଇପାରୁନି। ଏଭଳି ସ୍ଥିତିରେ ଆଦିବାସୀ ଜମିକୁ ହସ୍ତାନ୍ତର ପାଇଁ ଅନୁମତି ଦେବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଆଦୌ ବାସ୍ତବତା ଉପରେ ଆଧାରିତ ନୁହେଁ। ତାହା ଆଦିବାସୀଙ୍କୁ ସଶକ୍ତୀକରଣ କରିବା ବଦଳରେ ସେମାନଙ୍କୁ ଜମିହୀନ କରି ଦାରିଦ୍ର୍ୟ ଭିତରକୁ ଠେଲିଦେବ।
ମୋ-୯୪୩୭୧୬୬୩୯୧