ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି। ୟୁକ୍ରେନର ମେଜର ଜେନେରାଲ କିର୍ଲୋ ବୁଡାନୋଭାନ ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏକ ପରିବର୍ତ୍ତନ ଆସିବ ଏବଂ ନଭେମ୍ବର ସୁଦ୍ଧା ରୁଷିଆର ସେନା ୟୁକ୍ରେନରୁ ପରାସ୍ତ ହୋଇ ଫେରିବେ।

ସ୍କାଏ ନ୍ୟୁଜକୁ ସୂଚନା ଦେଇ କିର୍ଲୋ ବୁଡାନୋଭ କହିଛନ୍ତି ଯେ ୟୁକ୍ରେନରେ ରୁଷିଆର ସେନା ପରାସ୍ତ ହେବା ମାତ୍ରେ ପୁଟିନଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦିଆଯିବ। ସେ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆ ଫେଡେରେଶନରେ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଛି। ପୁଟିନଙ୍କୁ ହଟାଇବା ପାଇଁ ରୁଷିଆରେ ରଣନୀତି ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ପୁଟିନଙ୍କୁ ହଟାଇବା ଯୋଜନା ଆଗକୁ ବଢ଼ି ଚାଲିଛି ଏବଂ ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ।

ୟୁକ୍ରେନ ଜେନେରାଲ ଏହା ମଧ୍ୟ ଦାବି କରିଛନ୍ତି ଯେ ପୁଟିନ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କର କର୍କଟ ରୋଗ ହୋଇଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଜେନେରାଲ କେର୍ଲୋ କହିଛନ୍ତି ଯେ ଏହି ଯୁଦ୍ଧର ବ୍ରେକ-ପଏଣ୍ଟ ଅଗଷ୍ଟରେ ଆସିବ ଏବଂ ଡିସେମ୍ବର ସୁଦ୍ଧା ଯୁଦ୍ଧ ଶେଷ ହେବ। ଏହି ଯୁଦ୍ଧରେ ରୁଷିଆ ଫେଡେରେଶନରେ ନେତୃତ୍ୱ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି।

Share