Categories: ଜାତୀୟ

ମୋ ବାପାଙ୍କ ରାଜନୈତିକ କ୍ୟାରିୟର ବରବାଦ୍‌ କରିବାକୁ ରଚାଯାଉଛି ଷଡଯନ୍ତ୍ର: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମହିଳା ଏମ୍‌ପି

ମୁମ୍ବାଇ,୭।୪:ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏସପି) ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ତଥା ବାରାମତୀ ଏମ୍‌ପି ସୁପ୍ରିୟା ସୁଲେ ଭାଜପାକୁ ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,ଭାଜପା ତାଙ୍କ ବାପାଙ୍କ ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚାହୁଁଛି। ଏନସିପି (ଏସପି) ପୁଣିଥରେ ସୁପ୍ରିୟା ସୁଲେଙ୍କୁ ବାରାମତୀ ଆସନରୁ ପ୍ରାର୍ଥୀ କରିଛନ୍ତି।
ବାରାମତୀର ହିଞ୍ଜାୱାଡିରେ ନିର୍ବାଚନ ପ୍ରଚାର ସମୟରେ ସୁପ୍ରିୟା ସୁଲେ ନିଜ ଆସନ ବଜାୟ ରଖିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସୁପ୍ରିୟା ଭାରତୀୟ ଜନତା ପାର୍ଟି ବିରୋଧରେ ଅଭିଯୋଗ କରି କହିଛନ୍ତି, ଏହା (ଭାଜପା) ଆଦର୍ଶ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଘୃଣା କରେ। ଏହି କାରଣରୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏକଛତ୍ରବାଦୀ ଶାସନ ଆଡକୁ ନେବାକୁ ଭାଜପା କାର୍ଯ୍ୟ କରୁଛି, କିନ୍ତୁ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ନିଷ୍ଠା ସହିତ ବାରାମତୀ ଆସନରୁ ନିର୍ବାଚନରେ ଜିତିବା।
ସୁପ୍ରିୟା ଏହା ମଧ୍ୟ କହିଛନ୍ତି, ଲୋକ ସଭା ନିର୍ବାଚନରେ ଭାଜପାର ଉଦ୍ଦେଶ୍ୟ ବିଷୟରେ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି। ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରେ ଆକ୍ରମଣ କରି ସେ କହିଛନ୍ତ, ଭାଜପା ନେତାମାନେ ବାରମତୀକୁ ଆସି ମୋ ବାପା (ଶରଦ ପାୱାର)ଙ୍କ ରାଜନୈତିକ କ୍ୟାରିୟର ଶେଷ କରିବା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରୁଛନ୍ତି। ରାଜନୈତିକ ଦୃଷ୍ଟିରୁ ମୋ ବାପାଙ୍କୁ ହଟାଇବାକୁ ଭାଜପା ଷଡଯନ୍ତ୍ର କରୁଛି, କିନ୍ତୁ ସେ ଜଣେ ଯୋଦ୍ଧା। ସେ ଆଦୌ ପଛକୁ ହଟିବେ ନାହିଁ।
ମେ ୭ରେ ବାରାମତୀ ଲୋକ ସଭା ଆସନରେ ଭୋଟ ଅନୁଷ୍ଠିତ ହେବ। ଯେଉଁଠାରୁ ଅଜିତ ପାୱାରଙ୍କ ସ୍ତ୍ରୀ ସୁନେତ୍ରା ପାୱାରଙ୍କୁ ମହାରଥୀ ପ୍ରାର୍ଥୀ ଭାବରେ ସ୍ଥାନ ଦିଆଯାଇଛି। ଏହି ଆସନରେ ସୁନେତ୍ରା ପାୱାର ଏବଂ ସୁପ୍ରିୟା ସୁଲେଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ବୋଲି ଜଣାପଡିଛି।

Share