ଛବି ଖରାପ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ…

କଟକ ଅଫିସ, ୨୬।୫: ଓଡ଼ିଆ ସିନେମା ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପୁରୀଘାଟ ଥାନାରେ ଅଭିଯୋଗ କରିବାର ୨ଦିନ ପରେ ବର୍ଷା ବୁଧବାର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଗୋଟିଏ ପରେ ଗୋଟିଏ ଭିଡିଓ ଛାଡ଼ି ତାଙ୍କର ଛବି ଖରାପ କରାଯାଉଛି। ଏପରି କି ସ୍ବାମୀ ଅନୁଭବ ଅଦାଲତରେ ଡିଭୋର୍ସ କେସ୍‌ ଫାଇଲ୍‌ କରିବା ପରଠାରୁ ୨୦୨୦ରୁ ଏଯାବତ୍‌ କେହି ଅଜଣା ବ୍ୟକ୍ତି ମୋର ବ୍ୟକ୍ତିଗତ ଚାଟ୍‌ ଓ ଭିଡିଓକୁ କଟ୍‌, ଜଏଣ୍ଟ ଏଡିଟିଂ କରି ‘ଅନୁଭବ ମହାନ୍ତି ଦି ରିଅଲ ହିରୋ ଅଫ୍‌ କେନ୍ଦ୍ରାପଡ଼ା’ ନାମରେ ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ ଛଡ଼ାଯାଉଛି। ଚରିତ୍ର ସଂହାର ଏବଂ ସମାଜରେ ନିନ୍ଦିତ କରିବା ଉଦ୍ଦେଶ୍ୟରେ କେହି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏଭଳି କରୁଛନ୍ତି। ତେଣୁ ଏହି ଆକାଉଣ୍ଟରେ ଭିଡିଓକୁ ପୋଷ୍ଟ ଏବଂ ଅପରେଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ଷା ଏତଲାରେ ଦର୍ଶାଇଛନ୍ତି। ବର୍ଷାଙ୍କ ଅଭିଯୋଗକୁ ଭିତ୍ତିକରି ଆଇପିସି ଦଫା ୫୦୯ ଏବଂ ଆଇଟି ଆକ୍ଟର ଦଫା ୬୭ରେ ଏକ ମାମଲା(ନଂ.୧୪/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ବର୍ଷାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦିଆଯାଉଛି। ଆଇଟି ଆକ୍ଟ ଅନୁଯାୟୀ ତଦନ୍ତ କରାଯାଇ ସୋସିଆଲ୍‌ ମିଡିଆରେ ପୋଷ୍ଟର କରାଯାଇଥିବା ଲେଖାର ଏହାର ସ୍କ୍ରିନ୍‌ଶଟ୍‌ ଜବତ କରାଯାଇଛି। ଅରୁଚିକର ମନ୍ତବ୍ୟ ଆସିଥିବା ସୋସିଆଲ ମିଡିଆ ପେଜ କିଏ ବ୍ୟବହାର କରୁଛି ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଡିସିପି ମିଶ୍ର କହିଛନ୍ତି। ଅପରପକ୍ଷରେ ବର୍ଷାଙ୍କ ଏଭଳି ଅଭିଯୋଗ ପରେ ଅନୁଭବ ମଧ୍ୟ ପାଲଟା ଲିଖିତ ଅଭିଯୋଗ ଆଣିଛନ୍ତି। ନିଜ ଟୁଇଟରେ ଏକ ପୋଷ୍ଟ କରି କହିଛନ୍ତି , ବର୍ଷା ଏକ ଫ୍ୟାନ କ୍ଲବ କରି ଫୁଲ୍‌ ଟିମ୍‌ ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି।

ପ୍ରକାଶ ଯେ, ଅନୁଭବ ସୋସିଆଲ ମିଡିଆରେ ୨ଟି ଭିଡିଓ ଛାଡ଼ିବା ସହ ତାଙ୍କ ବିରୋଧରେ ମିଥ୍ୟା କାହାଣୀ କହିବା ସହ ଚରିତ୍ରକୁ ଆକ୍ଷେପ କରୁଥିବା ଅଭିଯୋଗ କରି ଗତ ୨୨ତାରିଖରେ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ମଙ୍ଗଳବାର ଅନୁଭବ ତୃତୀୟ ଭିଡିଓ ଜାରି କରିବା ସହ ମେଡିକାଲ ଟେଷ୍ଟ, ଫୋରେନ୍‌ସିକ୍‌ ଲାବ୍‌ରେ ବର୍ଷାଙ୍କ ଅଡିଓ ଟେଷ୍ଟ ଏବଂ ପଲିଗ୍ରାଫି ବା ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ବର୍ଷାଙ୍କୁ ଆହ୍ବାନ ଦେଇଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଜଟିଳ ହେବାରେ ଲାଗିଛି।