ରାଜସ୍ଥାନ, ଚୁରୁ ଜିଲାର ଏଇ ପିଲାମାନେ ଦିନେ ମଇଳା ଚିରାଫଟା ପ୍ୟାଣ୍ଟ ସାର୍ଟ ପିନ୍ଧି ଅଳିଆଗଦା, ରାସ୍ତାକଡରୁ ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଗୋଟେଇ କାନ୍ଧରେ ଝୁଲାଇଥିବା ବସ୍ତାରେ ଭର୍ତ୍ତି କରୁଥିଲେ। ପାଠପଢା ସେମାନଙ୍କ ପାଇଁ ଥିଲା ସାତ ସପନ। ହେଲେ ଏବେ ସେମାନେ ତାଙ୍କର ସେଇ ମଇଳା ବସ୍ତା ବଦଳରେ ବହିଖାତା ଥିବା ସ୍କୁଲ ବ୍ୟାଗ ଧରୁଛନ୍ତି। ଆଉ ଏହା କେବଳ ସମ୍ଭବ ହେଇଛି ଧର୍ମବୀର ଜାଖଡଙ୍କ ପାଇଁ। ଧର୍ମବୀର ପେସାରେ ଜଣେ କନଷ୍ଟବଲ୍। ହେଲେ ପ୍ରୟାସ ତାଙ୍କର ଗରିବା ପିଲାଙ୍କୁ ଶିକ୍ଷିତ କରାଇବା ଓ ତାଙ୍କ ମୁହଁରେ ହସ ଫୁଟାଇବା। ଧର୍ମବୀର ୨୦୧୧ରେ କନଷ୍ଟେବଲଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ମତରେ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ଭବିଷ୍ୟତ ଗଢାଯାଇପାରିଲେ ଦେଶର ସ୍ଥିତି ସୁଦୃଢ ହୋଇପାରିବ। ଆମ ଦେଶରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଅଛି। ହେଲେ ପରିବାରର ଆର୍ଥିକ ଦୁଃସ୍ଥିତି ପାଇଁ ଛୋଟ ଛୋଟ ପିଲାଙ୍କୁ ଭିକ୍ଷାବୃତି ଓ ଜରିଗୋଟାଇବା ପରି କାମ କରିବାକୁ ପଡୁଛି। ଫଳରେ ଶିକ୍ଷାଠୁ ଦୂରେଇ ତାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ତେଣୁ ସେ ତାଙ୍କ ଜିଲ୍ଲାର ଜରି ଗୋଟାଳି ଓ ଭିକ୍ଷାବୃତି କରୁଥିବା ପିଲାଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ। ଆଉ ୨୦୧୬ ଜାନୁୟାରୀ ୧ ତାରିଖରେ ପିଲାଙ୍କ ପାଇଁ ଖୋଲିଲେ ‘ଆପଣି ପାଠଶାଳା’ ବା ଅପନା ପାଠଶାଳା ନାମକ ଏକ ବିଦ୍ୟାଳୟ। ଯେଉଁଠି ଗରିବ ପିଲାମାନଙ୍କୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେ ମାଗଣା ଶିକ୍ଷାଦାନ କରୁଛନ୍ତି। ଏବେ ସେଠାରେ ପିଲାସଂଖ୍ୟା ୪୫୦ରୁ ଉର୍ଦ୍ଧ୍ୱ ହେଲାଣି। ସେ ଯେ କେବଳ ଶିକ୍ଷାଦାନ କରୁଛନ୍ତି ତାହା ନୁହେଁ ପିଲାମାନଙ୍କୁ ମାଗଣା ବହି, ସ୍କୁଲ ବ୍ୟାଗ, ୟୁନିଫର୍ମ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ ବି ପ୍ରଦାନ କରୁଛନ୍ତି। ଆଉ ଯେଉଁ ପିଲା ଦୂରରେ ରହୁଛନ୍ତି ସେମାନେ ମଧ୍ୟ କେମିତି ଉଚିତ ଶିକ୍ଷା ପାଇପାରିବେ ସେଥିଲାଗି ସେ ଗାଡିର ବ୍ୟବସ୍ଥା କରିଥାନ୍ତି। ଏମିତିରେ ମାସିକ ତାଙ୍କର ପ୍ରାୟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏକୁଟିଆ ଏତେ ଖର୍ଚ୍ଚ ସେ ବହନ କରିପାରନ୍ତି ନାହିଁ। ତେଣୁ ସେ ବିଭିନ୍ନ ସୋସିଆଲ ମିଡିଆ ସାହାଯ୍ୟରେ ଡୋନେସନ୍ ସଂଗ୍ରହ କରନ୍ତି। ତେବେ ଯେଉଁମାନଙ୍କ ଆର୍ଥିକାବସ୍ଥା ଅତ୍ୟଧିକ ଖରାପ ସେମାନଙ୍କୁ ପଢିବା ସମୟ ପରେ ଜରି ଗୋଟାଇବା ଓ ଭିକ୍ଷାବୃତି କରିବା ଲାଗି ଅନୁମତି ରହିଥାଏ। ଏହି କାମ ସେ ଏକୁଟିଆ ଆରମ୍ଭ କରିଥିଲେ। ଏବେ ଆହୁରି କେତେଜଣ ମଧ୍ୟ ତାଙ୍କ ସହ ଯୋଗ ଦେଇଛନ୍ତି।