Categories: ଜାତୀୟ

ପରିବାରବାଦୀ ଦଳ ଲୋକତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ଆଜି ପାଳନ କରାଯାଉଛି ସମ୍ବିଧାନ ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶିଷ୍ଟ ସଭାକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଆଜିର ଦିନ ହେଉଛି ବାବା ସାହେବ ଆମ୍ବେଦକର, ଡା. ରାଜେନ୍ଦ୍ର ପ୍ରସାଦଙ୍କ ଭଳି ଦୂରଦର୍ଶୀ ମହାନୁଭବଙ୍କୁ ପ୍ରଣାମ କରିବାର ଦିନ । ଆଜିର ଦିନରେ ଏହି ସଦନକୁ ବି ପ୍ରଣାମ କରିବାର ଦିନ । ଏହାସହ ପୂଜ୍ୟ ବାପୁଜୀଙ୍କୁ ବି ପ୍ରଣାମ କରିବାର ଦିନ । ସ୍ୱାଧିନତା ଆନ୍ଦୋଳନରେ ଯେଉଁ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ପ୍ରଣାମ କରିବାର ଦିନ ହେଉଛି ଆଜିର ଦିବସ । ଏହି ଅବସରରେ ମୋଦି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା ମନେପକାଇ ଶହୀଦଙ୍କୁ ଶ୍ର୍‌ଦ୍ଧାଞ୍ଜଳି ଦେବା ସହ ଏହା ଏକ ଦୁଃଖଦ ଦିନ ବୋଲି କହିଥିଲେ । ମୋଦି କହିଥିଲେ ସମ୍ବିଧାନ ଦିବସ ପାଳନ କରିବାର ଆଉ ଏକ ଉଦ୍ଦେଶ୍ୟ ହେଉଛି ଆମର ରାସ୍ତା ଠିକ୍ ଅଛି କି ନା ଏହାର ମୂଲ୍ୟାଙ୍କନ କରିବା ଉଚିତ । ଏହି ଅବସରରେ ମୋଦି ପରିବାରବାଦକୁ ନେଇ ବିରୋଧିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ମୋଦି କହିଥିଲେ ଦେଶ ଏବେ ଏମିତି ସଙ୍କଟ ଆଡକୁ ଯାଉଛି ଯାହା ସମ୍ବିଧାନକୁ ସମର୍ପିତ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଲୋକତନ୍ତ୍ର ପ୍ରତି ଆସ୍ଥା ରଖିଥିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସେମାନେ ହେଉଛନ୍ତି ପାରିବାରିକ ଦଳ । ମୋଦି କହିଥିଲେ ପରିବାରରୁ ଜଣେ କି ଦୁଇ ଜଣ ରାଜନୀତି କଲେ ଠିକ୍ ଅଛି । ଏହା ପରିବାରବାଦ ନୁହେଁ । ହେଲେ ପିଢି ପରେ ପିଢି ରାଜନୀତି କଲେ ଏହା ସମ୍ବିଧାନକୁ କଷ୍ଟ ଦେବା ସହ ସମ୍ବିଧାନର ପ୍ରତ୍ୟେକ ଧାରାକୁ ବି କ୍ଷତି ପହଞ୍ଚାଇବ । ଯେତେବେଳେ ରାଜନୈତିକ ଦଳ ନିଜର ଲୋକତାନ୍ତ୍ରିକ କ୍ୟାରେକ୍ଟର ହରାଇ ଦେବେ, ଯେଉଁ ଦଳ ଲୋକତାନ୍ତ୍ରିକ କ୍ୟାରେକ୍ଟର ହରାଇ ସାରିଛି ସେ ଲୋକତନ୍ତ୍ରର ରକ୍ଷା କେମିତି କରିବ ବୋଲି ମୋଦି କହିଛନ୍ତି ।

Share