ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ଶେଷ କରିବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ସଂସଦରେ ଆଇନ ନ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ଆଇନ କିପରି ପ୍ରତ୍ୟାହାର କରାଯିବ। ଏଥିପାଇଁ ସମଗ୍ର ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାଯିବ।
ଭାରତର ସମ୍ବିଧାନରେ ଯେକୌଣସି ଆଇନ ପ୍ରଣୟନ ପାଇଁ ଯେଉଁ ଉପାୟ ଅବଲମ୍ବନ କରାଯାଇଥାଏ ସେହି ଉପାୟରେ ମଧ୍ୟ ଆଇନ ପ୍ରତ୍ୟାହାର କରାଯାଇଥାଏ। ପ୍ରଥମେ ପାର୍ଲାମେଣ୍ଟରେ ଆଇନର ପ୍ରତ୍ୟାହାର ଲାଗି ପ୍ରସ୍ତାବ ଅଣାଯାଇ ପରେ ଏହାକୁ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଯିବ। ଆଇନ ମନ୍ତ୍ରଣାଳୟରୁ କ୍ଲିୟରାନ୍ସ ପାଇବା ପରେ ସଂପୃକ୍ତ ମନ୍ତ୍ରଣାଳୟ ଆଇନ ପ୍ରତ୍ୟାହାର ଆଧାରରେ ଏକ ବିଲ ପ୍ରସ୍ତୁତ କରି ସଂସଦରେ ଉପସ୍ଥାପନ କରିବେ।
ସଂସଦରେ ଏକ ଆଇନ ପ୍ରଣୟନ ପାଇଁ ଯେପରି ଏକ ବ୍ୟାପକ ଆଲୋଚନା ହୋଇଥାଏ ସେହିଭଳି ଏହାକୁ ପ୍ରତ୍ୟାହାର କରିବା ଲାଗି ମଧ୍ୟ କରାଯିବ। ଆଇନ ପ୍ରତ୍ୟାହାରକୁ ନେଇ ଉଭୟ ଗୃହରେ ବିତର୍କ କିମ୍ବା ଭୋଟ ମଧ୍ୟ କରାଯାଇପାରିବ। ଯଦି ଆଇନ ଫେରସ୍ତ ସପକ୍ଷରେ ଅଧିକ ଭୋଟ ରହିଥାଏ, ତେବେ ଆଇନ ପ୍ରତ୍ୟାହାର ପାଇଁ ବିଲ ପାସ କରାଯିବ।
ସମସ୍ତ ତିନୋଟି କୃଷି ନିୟମ ଗୋଟିଏ ବିଲ ମାଧ୍ୟମରେ ପ୍ରତ୍ୟାହାର କରାଯାଇପାରିବ। ସଂସଦର ଉଭୟ ଗୃହରୁ ଏହି ବିଲ ଫେରସ୍ତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଗେଜେଟରେ ପ୍ରକାଶିତ କରାଯିବ। ଏହା ସହିତ, ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ।