Categories: ମେଟ୍ରୋ

ବିକାଶରେ ବାଧକ ଜବରଦଖଲ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସହରର ଅନ୍ୟତମ ମୁଖ୍ୟ ଡ୍ରେନ୍‌ ନଂ.୧୦ର ବିକାଶ ଓ ପୁନରୁଦ୍ଧର କାର୍ଯ୍ୟ ବିଏମ୍‌ସି ଦ୍ୱାରା କରାଯାଉଛି। ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ନାଳରେ ପ୍ରାକୃତିକ ଉପାୟରେ କିପରି ଜଳ ପରିଚାଳନା ସହ ଏହାର ଆଖପାଖର ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ସେମାନେ କାର୍ଯ୍ୟ କରୁଛନ୍ତି। ମାତ୍ର ବିକାଶ କାର୍ଯ୍ୟରେ ଜବରଦଖଲ ଏବେ ବି ମୁଖ୍ୟ ବାଧକ ସାଜିଛି। ବିଏମ୍‌ସିର ୱାର୍ଡ ନଂ. ୩୬ ଅନ୍ତର୍ଗତ ନିକୋପାର୍କ ନିକଟରେ ଯାଇଥିବା ଏହି ଡ୍ରେନ୍‌ର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ଆବଶ୍ୟକ ଥିବା ସରକାରୀ ଜମିରେ ଏକାଧିକ ବେଆଇନ ନିର୍ମାଣ ଥିବାରୁ ବିକାଶ କାର୍ଯ୍ୟ ଅଧାପନ୍ତରିଆ ହେଉଛି। ଦିନେ କାମ ହେଲେ ୪ଦିନ ବନ୍ଦ ରହୁଛି। ଉଚ୍ଛେଦ ଲାଗି ଆବଶ୍ୟକ ଥିବା ମେଶିନ ଦେବା ଲାଗି ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବିଏମ୍‌ସିକୁ ବାରମ୍ବାର କୁହାଯାଉ ଥିବାବେଳେ ଏନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଡ୍ରେନ ନଂ.୧୦ରେ ଥିବା ସରକାରୀ ଜମିକୁ କେତେଜଣ ଲୋକ ଜବରଦଖଲ କରି ପାଚେରି ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି। ସେହିପରି କିଛି ଲୋକ ସରକାରୀ ଜମିରେ ଛାତ ଘର କରିବା ସହ ଆଉ କେତେଜଣ ନିଜ ପାଇଖାନା ନିର୍ମାଣ କରିଛନ୍ତି। ସ୍କ୍ବାଡ୍‌ ନିୟମିତ ଭାବେ ସେଗୁଡିକୁ ଭାଙ୍ଗୁଛି। ମାତ୍ର ସବୁ ଉଚ୍ଛେଦ ଜେସିବିରେ କରାଯାଇପାରୁ ନାହିଁ। ଛାତ ଘର ଭାଙ୍ଗିବାକୁ ଆବଶ୍ୟକ ଥିବା ପ୍ରୋକଲିନ ମେଶିନ ଦେବାକୁ ବିଡିଏ ସ୍କ୍ବାଡ୍‌ ବିଏମସି ଡ୍ରେନେଜ ବିଭାଗକୁ ବାରମ୍ବାର କହିବା ସତ୍ତ୍ୱେ ଏ ନେଇ ବ୍ୟବସ୍ଥା କରାଯାଉନାହିଁ। ଫଳରେ ବହୁ ସ୍ଥାନରୁ ଉଚ୍ଛେଦ ହୋଇପାରୁ ନାହିଁ। ସେହିପରି ଜବରଦଖଲ ଉଚ୍ଛେଦକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଉଛି।
ବୁଧବାର ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଡ୍ରେନ୍‌ ନଂ.୧୦ ଅଞ୍ଚଳରୁ ଉଚ୍ଛେଦ କରିବାକୁ ଯାଇଥିବାବେଳେ ବିରୋଧର ଶିକାର ହୋଇଥିଲା। କେବଳ ସ୍ଥାନୀୟ ଲୋକ ନୁହନ୍ତି, କର୍ପୋରେଟର ମଧ୍ୟ ଏହାକୁ ବିରୋଧ କରିଥିବା ନଜରକୁ ଆସିଥିଲା। ଏହାସତ୍ତ୍ୱେ ୬ଟି ଆଜବେଷ୍ଟ ଘର, ୪ଟି ପାଇଖାନା ଓ ପାଚେରି ଭଙ୍ଗା ଯାଇଛି। ଏନେଇ କର୍ପୋରେଟର ଅଲିଅଳି ମଲ୍ଲିକ କହିଛନ୍ତି, ସମୟ ନ ଦେଇ ଲୋକଙ୍କ ନିର୍ମାଣ ଭାଙ୍ଗିବା ଅନୁଚିତ। ସରକାରୀ ଜମିରେ ମୁଖ୍ୟତଃ ଅଞ୍ଚଳବାସୀ ନିଜ ଶୌଚାଳୟ ନିର୍ମାଣ କରିଛନ୍ତି। ତେଣୁ ସର୍ବନିମ୍ନ ୭ ଦିନ ସମୟ ଦେଇ ତା’ ପରେ ଭାଙ୍ଗିବାକୁ ସେ ଦାବି କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସହ ସେ ବିଏମ୍‌ସି କମିଶନର ଓ ମେୟରଙ୍କୁ ଏନେଇ ଅବଗତ କରାଇବେ ବୋଲି କହିଛନ୍ତି।

Share