Categories: ବାଣିଜ୍ୟ

ଓଡ଼ିଶା ବଜାରରେ କନ୍‌ଷ୍ଟ୍ରକ୍ସନ ଲିଡର ‘ସାନି’

ଭୁବନେଶ୍ୱର,୮।୯ : ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଶ୍‌ ଜଣାଶୁଣା ତଥା କନ୍‌ଷ୍ଟ୍ରକ୍ସନ ଲିଡର ଭାବେ ପରିଚିତ ସାନି ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏପରିକି ସାନି ହେଭି ଇଣ୍ଡଷ୍ଟ୍ରି ଲିମିଟେଡ୍‌ ପକ୍ଷରୁ ବୁଧବାର ସ୍ଥାନୀୟ ପଳାଶୁଣୀଠାରେ ତା’ର ଶାଖା କାର୍ଯ୍ୟାଳୟ ସହ ଡିଲର ପଏଣ୍ଟର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଡ. ଉପେନ୍ଦ୍ର ନାୟକ, ଶଶାଙ୍କ ପାଣ୍ଡେ, ଧୀରଜ ପଣ୍ଡା, ସୁଶୀଲ ପାତ୍ର, ସଞ୍ଜୀବ କୁମାର ନାୟକ ଏବଂ ରଘୁନାଥ ପ୍ରମୁଖ ଉପସ୍ଥିତ ରହି ଏହାର ଉଦ୍‌ଘାଟନ କରିଥିଲେ। ସାନି ଲିମିଟେଡ୍‌ର ଓଡ଼ିଶା ମୁଖ୍ୟ ଦୁର୍ଯ୍ୟନ ରାଉତରାୟ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଶେଷକରି କୋଠାବାଡ଼ି ନିର୍ମାଣ ଓ କନ୍‌ଷ୍ଟ୍ରକ୍ସନ ବଜାରରେ ସାନିର ନାଁ ରହିଥିବା ବେଳେ ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ନାନାଦି ଯନ୍ତ୍ରପାତି ମଧ୍ୟ ସାନିର ଡିଲର ପଏଣ୍ଟଗୁଡ଼ିକରେ ଉପଲବ୍ଧ ରହିଛି। ଏହା ଏକ ଚାଇନା କମ୍ପାନୀ ହୋଇଥିବା ବେଳେ ଭାରତୀୟ ବଜାରରେ ଏହାର ବେଶ୍‌ ଚାହିଦା ଅଛି। ସେହିଭଳି ପୁଣେରେ କମ୍ପାନୀର ୮୦ ଏକର ବିଶିଷ୍ଟ ପରିମିତ ଜମିରେ ଏକ ବୃହତ୍‌ କାରଖାନା ରହିଛି, ଯେଉଁଠାରେ ନିର୍ମାଣ ସହ ମେଶିନ ମଧ୍ୟ ସପ୍ଳାଇ ହୁଏ। କଂକ୍ରିଟ ମେଶିନାରି ଯଥା ସିମେଣ୍ଟ ଫେଣ୍ଟା ମେଶିନ ଓ ଜେସିବି ଭଳି ମେଶିନ କିଣାବିକାରେ ଏହା ଭାରତ ଓ ଦକ୍ଷିଣ ଏସିଆରେ କାର୍ଯ୍ୟ କରୁଛି। ପଡ଼ୋଶୀ ଦେଶ ନେପାଳ, ଭୁଟାନ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ବି ସାନି ନିଜର ମେଶିନ ଯୋଗାଣ କରୁଛି। ଭୁବନେଶ୍ୱରରେ ଏହାର ପ୍ରଥମ ଡିଲର ପଏଣ୍ଟ ସହ ସେଲ୍‌ସ ଓ ସର୍ଭିସ ଯୋଗାଇଦେବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

Share