ରାସ୍ତାରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ବାଧା

ରାଉରକେଲା ଅଫିସ, ୩୦।୪: ରାଉରକେଲାର ବିଭିନ୍ନ ମୁଖ୍ୟମାର୍ଗରେ ଇଟା, ବାଲି, ଗେଟି, ମାଟି ଆଦି ନିର୍ମାଣ ସାମଗ୍ରୀ ପକାଇ ରାସ୍ତା ଅବରୋଧ କରାଯାଉଛି। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏଭଳି କାର୍ଯ୍ୟ କରୁଥିବା ଲୋକମାନଙ୍କ ଉପରେ ସ୍ମାର୍ଟସିଟି ବିଭାଗ ଲଗାମ କଷି ପାରୁ ନ ଥିବା ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି।
ରାଉରକେଲା ସହରର ରାସ୍ତା କଡ, ଫୁଟପାଥ୍‌ ଆଦି ସ୍ଥାନରେ ଲୋକେ ନିର୍ମାଣ ସାମଗ୍ରୀକୁ ଦୀର୍ଘଦିନ ଧରି ପକାଇ ରଖୁଛନ୍ତି। ଆର୍‌ଏମ୍‌ସି ଏବଂ ସ୍ମାର୍ଟସିଟି ନିୟମ ମୁତାବକ କେହି ମୁଖ୍ୟ ରାସ୍ତାରେ ନିର୍ମାଣ ସାମଗ୍ରୀ ରଖିପାରିବେ ନାହିଁ। କୌଣସି ବ୍ୟକ୍ତି ନିୟମ ନ ମାନିଲେ ତାଙ୍କୁ ଆର୍ଥିକ ଜରିମାନା କରାଯାିପାରିବ। ମାତ୍ର ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ଅନେକ ଲୋକ ଗୃହ ନିର୍ମାଣ ଓ ମରାମତି କାର୍ଯ୍ୟ କରୁଥିବା ବେଳେ ମୁଖ୍ୟରାସ୍ତାରେ ନିର୍ମାଣ ସାମଗ୍ରୀ ରଖୁଛନ୍ତି। ଫଳରେ ମୁଖ୍ୟରାସ୍ତା ଜାମ୍‌ ହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଡେଲି ମାର୍କେଟ ମୁଖ୍ୟରାସ୍ତା ଦେଇ ବିଭିନ୍ନ ସ୍କୁଲ, କଲେଜ ଯାଉଥିବା ଛାତ୍ରୀଛାତ୍ର ଏବଂ ଯାତ୍ରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟ ରାସ୍ତାରେ ନିର୍ମାଣ ସାମଗ୍ରୀ ନ ରଖିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ କିଛି ଅମାନିଆ ଏହାକୁ ମାନୁନାହାନ୍ତି। ତେବେ ଏହି ସମସ୍ୟା କେବଳ ମାତ୍ର ଡେଲି ମାର୍କେଟ ମୁଖ୍ୟମାର୍ଗରେ ସୀମିତ ରହିନାହିଁ। ଉଦିତନଗରଠାରୁ ଆମ୍ବେଡ଼କର ଛକ ଯାଏ ଏଭଳି ଦେଖିବାକୁ ମିଳିଛି। ଯାହାକି ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି।
ସେହିପରି ସହରର ମୁଖ୍ୟରାସ୍ତା ଗୁଡିକ ନିର୍ମାଣ ହେବା ପରେ ଯାନବାହାନର ବେଗକୁ ରୋକିବା ପାଇଁ ସିସି କ୍ୟାମେରା ବଦଳରେ ହମ୍ପ୍‌ସ କରାଯାଇଛି। ପାନପୋଷରୁ ପାନପୋଷ ବସ୍ତି ଓ ଛେଣ୍ଡ ବସ୍ତି ମଧ୍ୟରେ ପ୍ରାୟ ୩୦ଟି ହମ୍ପ୍‌ସ ରହିଛି। ଏଭଲି ଅନାବଶ୍ୟକ ହମ୍ପ୍‌ସ ଯୋଗୁ ସହରକୁ ଆସୁଥିବା ଯାତ୍ରୀମାନେ ହମ୍ପ୍‌ସ ଥିବା ନ ଜାଣି ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ରାଉରକେଲା ସ୍ମାର୍ଟସିଟି ଜିଏମ୍‌ ସଞ୍ଜୟ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଲେ, ଏ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ। ତୁରନ୍ତ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ବିହିତ ପଦକ୍ଷେପ ନିଆଯିବା ସହ ମୁଖ୍ୟମାର୍ଗ ଯାତାୟାତ ଉପଯୋଗୀ କରାଯିବ। ଆର୍‌ଏମ୍‌ସିକୁ ମଧ୍ୟ ଏ ନେଇ ଜଣାଇ ଦିଆଯିବ ବୋଲି ସେ କହିଥିଲେ।