ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ନିର୍ମାଣ: ଏବେ ଭୂତକୋଠି

ପଟ୍ଟାମୁଣ୍ଡାଇ, ୪ା୫(ସ୍ବ.ପ୍ର.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କୋଠା ନିର୍ମାଣ ହେଉଛି। କେଉଁଠି ଅଧାପନ୍ତରିଆ ହୋଇପଡିଛି ତ ଆଉ କେଉଁଠାରେ ଉଦ୍‌ଘାଟନ ବି ହୋଇଛି। ହେଲେ କୌଣସି କାରଣକୁ ନେଇ ଏହିସବୁ କୋଠା ଲୋକଙ୍କର କାମରେ ଆସୁନାହିଁ। ପରିତ୍ୟକ୍ତ ଭାବେ ପଡ଼ି ରହି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସରକାରୀ କାର୍ଯ୍ୟାଳୟ ଭଡ଼ାଘର ଓ ପୁରୁଣା କୋଠାରେ ଚାଲିଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।
ପଟ୍ଟାମୁଣ୍ଡାଇ ସହରଠାରୁ ୪କି.ମି. ଦୂର ଖଡ଼ଇଣ୍ଟା ହାଇସ୍କୁଲ ସାମ୍ନାରେ ୩୩ ବର୍ଷ ହେଲା ଅଧାପନ୍ତରିଆ ହୋଇ ସରକାରୀ ଡାକବଙ୍ଗଳା ପଡ଼ି ରହିଛି। ସରକାରୀ ତହବିଲରୁ ୫୦ଲକ୍ଷ ଟଙ୍କା ବ୍ୟୟ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୯୯୦ରେ ୮ଟି କୋଠରି ବିଶିଷ୍ଟ ଡାକବଙ୍ଗଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୯୩ ମସିହା ସୁଦ୍ଧା ଶତକଡା ୮୦ ପ୍ରତିଶତ କାମ ଶେଷ ହୋଇ ସେବେଠାରୁ ପଡିରହିଛି। ତେବେ ବଙ୍ଗଳା କାର୍ଯ୍ୟ କ’ଣ ପାଇଁ ବନ୍ଦ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୪ଲକ୍ଷ ୨୫ ହଜାର ଟଙ୍କା ବ୍ୟୟରେ ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ସମନ୍ବିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ଭଡ଼ାଘରେ ଚାଲିଛି। ଏହି ଘରଭଡ଼ା ବାବଦ ଅର୍ଥ ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହନ କରୁଛି। ସେହିଭଳି ସେଠାରେ ଏଏନ୍‌ଏମ୍‌ କେନ୍ଦ୍ର ନିର୍ମିତ ହୋଇଥିଲେ ମଧ୍ୟ ତାହା ଏବେ ଭୂତକୋଠି ପାଲଟିଛି। ସେହିପରି ବଡ଼ପଡ଼ା ପଞ୍ଚାୟତରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଅଧା ହୋଇ ପଡ଼ି ରହିଛି। ଅନ୍ୟପକ୍ଷରେ ପଟ୍ଟମୁଣ୍ଡାଇ ପୌରାଞ୍ଚଳରେ ୧୪ ଲକ୍ଷ ଓ ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅବକାରୀ ଥାନା ୨ଟା କୋଠା ନିର୍ମିତ ହୋଇଥିଲେ ହେଁ ଏବେ ତାହା ବନ୍ଦ ହୋଇ ରହିଛି। ମ୍ୟୁନିସିପାଲିଟି ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବୟନିକା ଗୃହକୁ ପୌର କର୍ତ୍ତୃପକ୍ଷ ୯୦ ବର୍ଷର ଲିଜ୍‌ରେ ଜଣେ ବ୍ୟବସାୟଙ୍କୁ ଦେଇଥିବା ସାଧାରଣରେ ଦୃଢ଼ ଅଭିଯୋଗ ହୋଇଛି। ସେହିପରି ବସ୍‌ଷ୍ଟାଣ୍ଡ ଭିତରେ ଥିବା ଗୃହ କିଏ ଏବଂ କାହାକୁ ଲିଜ୍‌ ଦେଇଛି ପୌର କର୍ତ୍ତୃପକ୍ଷଙ୍କୁ ଜଣାନାହଁି। ଏହିଭଳି ପୌର ପରିଷଦ ଓ ବିଭିନ୍ନ ପଞ୍ଚାୟତରେ ଏଏନ୍‌ଏମ୍‌ କେନ୍ଦ୍ର, ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କେନ୍ଦ୍ର ପ୍ରଭୃତି ନିର୍ମାଣ ହୋଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ପଡିରହିଛି। ଏଭଳି ପରିସ୍ଥିତିରେ ଜନସାଧାରଣ ସେବା ନ ପାଇ ନାନା ହଇରାଣ ହେଉଛନ୍ତି। ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଉଚ୍ଚ ପଦଧିକାରୀମାନେ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।