Advertisement

ଆବାସିକ ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା

ଭୁବନେଶ୍ୱର, ୨୯ା୩ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ କାନନବିହାର ଫେଜ୍‌-୧ସ୍ଥିତ ଆବାସିକ ଅଞ୍ଚଳରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ନିର୍ମାଣ ହେଉଥିବା ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା ଲାଗିଛି। କୌଣସି ଅନୁମତି ନ ନେଇ ଜନବସତି ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣ କରାଯାଉଥିଲା। ତେଣୁ ଆଇନ ଅନୁଯାୟୀ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ଖୋର୍ଦ୍ଧା ଜିଲାପାଳ ଗେଲ୍‌ ଇଣ୍ଡିଆର ସିଏମ୍‌ କିରଣ କୁମାର ଗୁଡ଼ିଆଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବାସିକ କଲୋନି ଭିତରେ ସିଏନ୍‌ଜି ଷ୍ଟେଶନ ନିର୍ମାଣ ହେଲେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ନିର୍ମାଣ ପୂର୍ବରୁ ଜିଲାପାଳଙ୍କ ସ୍ବୀକୃତି ନିହାତି ଆବଶ୍ୟକ। ମାତ୍ର ସଂସ୍ଥା ପକ୍ଷରୁ କୌଣସି ସ୍ବୀକୃତି ନିଆଯାଇ ନାହିଁ। ତେବେ ୭ଦିନ ଭିତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳଙ୍କ ପକ୍ଷରୁ ତାଗିଦ କରାଯାଇଛି।
ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ମୌଜା ପ୍ଲଟ୍‌ ନଂ. ୪୫୭ ଖାତା ନଂ. ୬୧୯ (ଗୋଚର)ରେ ସିଏନ୍‌ଜି ଓ ପିଏନ୍‌ଜି ଷ୍ଟେଶନ ନିର୍ମାଣ କରାଯାଉଛି। ଏହା ଏକ ଆବାସିକ ଅଞ୍ଚଳ ହୋଇଥିବାରୁ ଭବିଷ୍ୟତରେ କୌଣସି ଅଘଟଣ ହେଲେ ଅନେକ ଧନଜୀବନ ହାନିହେବା ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ନିର୍ମାଣସ୍ଥଳର ୫ମିଟର ଦୂର କାନନବିହାରସ୍ଥିତ ଏଚ୍‌ଆଇଜି-୧୭୯ ଫେଜ୍‌-୧ରେ ରହୁଥିବା ଶୁକଦେବ ମହାନ୍ତି ଏନେଇ ଏନ୍‌ଜିଟିରେ ମାମଲା ଦାୟର କରିଥିଲେ। ଏହାର ଶୁଣାଣିକରି ଏନ୍‌ଜିଟି ଇଷ୍ଟର୍ନ ଜାନ୍‌ ବେଞ୍ଚ କୋଲକାତା ପକ୍ଷରୁ ଜିଏ ବିଭାଗ, ବିଏମ୍‌ସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ (ପିଇସିଓ), ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ପ୍ରମୁଖଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କାହା ଅନୁମତିରେ ଆବାସିକ ଅଞ୍ଚଳରେ ଏହି ଷ୍ଟେଶନ ନିର୍ମାଣ କରାଯାଉଛି ତାହାର ଉତ୍ତର ୪ ସପ୍ତାହ ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ସଂସ୍ଥା ପକ୍ଷରୁ ନିର୍ମାଣ ପାଇଁ ଅନୁମତି ନିଆଯାଇଛି କି ନାହିଁ ତାହାର ତଦନ୍ତ କରିବା ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ପକ୍ଷରୁ ଭୁବନେଶ୍ୱର ଡିସିପିଙ୍କୁ ଚିଠି କରାଯାଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ସହିତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେ ୩୦ରେ ଏନ୍‌ଜିଟିରେ ଏହାର ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ଦିଆଯାଇଛି।

Share