କେନାଲ ବନ୍ଧକୁ ଜବରଦଖଲ କରି ଘର ନିର୍ମାଣ

ପଟ୍ଟାମୁଣ୍ଡାଇ, ୧୩ା୬(ସ୍ବ.ପ୍ର.): ବ୍ରିଟିଶ ଅମଳରୁ ଖୋଳାଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ଓ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲକୁ ରାଜ୍ୟ ସରକାର ୨୦୧୬ରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଉଭୟପାର୍ଶ୍ୱ ପୋତେଇ କରିବା ସହ କେନାଲ ଓସାରକୁ କମ୍‌ କରି ସହଜରେ ଚାଷଜମିକୁ ପାଣି ଛାଡ଼ିବାର ବ୍ୟବସ୍ଥା କରିଛନ୍ତି। ମାତ୍ର ପୁରୁଣା କେନାଲର ଉଭୟପାର୍ଶ୍ୱ ପୋତାଯିବା ପରେ ଯେଉଁ ପ୍ରଶସ୍ତ ଜାଗା ବାହାରିଛି ତାହା କ୍ରମଶଃ କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇସାରିଲାଣି। ବିଶେଷକରି ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ଅଳଭାଠାରୁ ଗଣ୍ଡାକିଆ ମଧ୍ୟରେ ବହୁ ସ୍ଥାନରେ କେନାଲ ବନ୍ଧକୁ ଲାଗିଥିବା ଓସାରିଆ ଜାଗା ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଏହି କେନାଲର ଖଡ଼ଇଣ୍ଟା, କଖାରୁଣୀ, ଗୁଣପୁର ପୋଲ ନିକଟରେ କେତେଜଣ ବ୍ୟକ୍ତି କେନାଲ ଜାଗାକୁ ଜବରଦଖଲ କରି ସ୍ଥାୟୀ ଘର ନିର୍ମାଣ କରୁଛନ୍ତି। ସେହିପରି ଖଡ଼ଇଣ୍ଟାଠାରୁ କଖାରୁଣୀ ମଧ୍ୟରେ କେନାଲ ବନ୍ଧର ଡାହାଣ ପାର୍ଶ୍ୱକୁ ଏକାଧିକ ବ୍ୟକ୍ତି ଜବରଦଖଲରେ ରଖି ଘର ନିର୍ମାଣ କରିଛନ୍ତି। ଅଳଭାଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ବିଭିନ୍ନ ଛକର ଚତୁଃପାର୍ଶ୍ୱରେ ବିଭିନ୍ନ ଦୋକାନ ଗଢିଉଠୁଛି। ଅପରପାର୍ଶ୍ୱରୁ ଅସୁଥିବା ଗାଡ଼ି ଦେଖା ନ ଯିବାରୁ ଦୁର୍ଘଟଣା ଘଟୁଛି। କେତେଜଣ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ପ୍ରଶାସନକୁ ହାତକରି ସରକାରୀ ଜାଗାରେ ପକ୍କାଘର କରି ଭଡ଼ା ଦେଉଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଜବରଦଖଲ ସମ୍ପର୍କରେ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଅବଗତ ଥାଇ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ବନ୍ଧ ଓ ବନ୍ଧ ସଂଲଗ୍ନ ମୂଲ୍ୟବାନ୍‌ ଜାଗାକୁ ଜବରଦଖଲ କବଳରୁ ମୁକ୍ତ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ବାରମ୍ବାର ଦାବି କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଏପରି ଅଭିଯୋଗ ବାହୁବାର ଆସିଲା ପରେ କଖାରୁଣୀ ପୋଲ ପାଖରେ ଉଚ୍ଛେଦ କରାଯାଇଛି। ରଜ ପରେ ଖଡ଼ଇଣ୍ଟା ଆଉ ମାଳିବାସା ପୋଲ ପାଖରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।