ଜଙ୍ଗଲରେ ଲଜ୍‌, ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୧।୮: କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକ ଡଗାପାଙ୍ଗା ଗ୍ରାମ ନିକଟବର୍ତ୍ତୀ ସାଡ୍ରାପ୍ଲିଉ ସରଂକ୍ଷିତ ଜଙ୍ଗଲରେ ଜଣେ ବ୍ୟକ୍ତି ବେଆଇନ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜଙ୍ଗଲରେ ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।

ଡଗାପାଙ୍ଗା ରାଜସ୍ବ ଗ୍ରାମ ନିକଟ ସାଡ୍ରାପ୍ଲିଉ ସଂରକ୍ଷିତ ଜଙ୍ଗଲରେ ବର୍ଷ ବର୍ଷ ଧରି ଲୋକେ ଚାଷ କରିଆସୁଛନ୍ତି। ଜଙ୍ଗଲ ଜମି ମାପିବା ବେଳେ ତାହା ସଂରକ୍ଷିତ ଜଙ୍ଗଲ ଜମି ଜଣାପଡିଥିଲା । ଗତବର୍ଷ ସାରଙ୍ଗଗଡ ଥାନା ପାଡାଙ୍ଗି ଗ୍ରାମର ଜଣେ ବ୍ୟକ୍ତି ଏହି ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଅସ୍ଥାୟୀ ଲଜ ନିର୍ମାଣ କରିଥିବା ଜଣାପଡିଛି। ଏଥିପାଇଁ ବନ ବିଭାଗରୁ ମଧ୍ୟ କୌଣସି ଅନୁମତି ମିଳିନାହିଁ । ଅନ୍ୟପକ୍ଷେ ସ୍ଥାନୀୟ କିଛି ଅଧିକାରୀଙ୍କୁ ହାତ କରି ସେ ଏପରି କରୁଥିବା ବେଳେ ଲୋକେ ସେଠାକୁ ଆସି ନିଶାପାନ କରୁଥିବା ଅଭିଯୋଗ ହୋଇଛି। ଗ୍ରାମରେ ବୈଠକ କରି ଗ୍ରାମସଭାର ନିଷ୍ପତ୍ତି କ୍ରମେ ଗତ ୧୪ ତାରିଖରେ ଏହି ସମ୍ପର୍କରେ ଗ୍ରାମବାସୀ ଦାରିଙ୍ଗିବାଡି ପୋଲିସକୁ ଜଣାଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share