Advertisement

ଖଡ଼ିଆଳରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ

ଖଡ଼ିଆଳ,୨୮।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ସହର ହେଉଛି ଜିଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟର ପେଣ୍ଠସ୍ଥଳ। ମାତ୍ର ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେଉଛି। ଖଡ଼ିଆଳ ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର। ଏହି ସହରକୁ ଲାଗିରହିଛି ୩୫୩ ନଂ. ଜାତୀୟ ରାଜପଥ। ଏଠାକୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଲୋକେ ଯିବା ଆସିବା ତଥା ବାଣିଜ୍ୟ କରିବାକୁ ନିର୍ଭର କରିଥାନ୍ତି। ହେଲେ ଏ ପର୍ଯ୍ୟନ୍ତ ଏଠାରେ କୌଣସି ସ୍ଥାୟୀ ବସଷ୍ଟାଣ୍ଡ ନାହିଁ। ଫଳରେ ଏହି ସହରକୁ ଆସୁଥିବା ଅନେକ ଲୋକ ତଥା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁ ଥିବା ଅଭିଯୋଗ ହୋଇଆସୁଛି। ଯାତ୍ରୀମାନଙ୍କ ସୁବିଧାକୁ ନେଇ ପ୍ରଥମେ ଖଡ଼ିଆଳ ରାଜାଙ୍କ ଦରବାର ସମ୍ମୁଖରେ ଏକ ଅସ୍ଥାୟୀ ବସଷ୍ଟାଣ୍ଡ ହୋଇଥିଲା। ପରେ ଏହା ଖଡ଼ିଆଳ ୩୫୩ ନଂ. ମୁଖ୍ୟ ରାସ୍ତା ଖଡ଼ିଆଳ ଥାନା ସମ୍ମୁଖକୁ ଆସିଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ଉପଜିଲାପାଳ ସରୋଜ ଝା ଏହି ବସଷ୍ଟାଣ୍ଡକୁ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଅଧୀନରେ ଥିବା ବି.ଗ୍ରାଉଣ୍ଡ ଖେଳ ପଡିଆଠାରେ ସ୍ଥାନାନ୍ତରିତ କରିଥିଲେ। ପରେ ୨୦୧୪ ମସିହା ୨୯ ଜୁଲାଇରେ ନୂତନ ଭାବେ ଜିଲାପାଳ ଜୟ କୁମାର ଭି ଦାୟିତ୍ୱ ନେଇ ଏହାକୁ ଖଡିଆଳରେ ଥିବା ଦୁଇ ନମ୍ବର ପ୍ୟାରେଡ ପଡିଆକୁ ସ୍ଥାନାନ୍ତର କରିଥିଲେ। ହେଲେ ଏହି ବସଷ୍ଟାଣ୍ଡଟି ଅନେକ ସମସ୍ୟା ନେଇ ଗତି କରୁଛି। ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମଧ୍ୟ ଏହି ବସଷ୍ଟାଣ୍ଡ ଶୀତ ଏବଂ ଖରାଦିନରେ ଧୂଳି ଉଡ଼ୁଥିବାବେଳେ ବର୍ଷା ଦିନ କଥା ନ କହିବା ଭଲ। ବର୍ଷା ଦିନରେ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ କୁତ୍ରିମ ପୋଖରୀ ସଦୃଶ ହୋଇଥାଏ। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବସରେ ଯିବା ଆସିବା ମଧ୍ୟ କଷ୍ଟକର ହୋଇଥାଏ। ଏହି ବସଷ୍ଟାଣ୍ଡକୁ ସ୍ଥାୟୀ କରାଯାଇ ନ ଥିବାରୁ ବେସରକାରୀ ବସଷ୍ଟାଣ୍ଡ ଭାବେ ଖଡ଼ିଆଳ ବସ ମାଲିକ ସଂଘ ଦାୟିତ୍ୱ ନେଇ ଏହାକୁ ସୁପରିଚାଳିତ କରୁଛନ୍ତି। ହେଲେ ଏବେ ମଧ୍ୟ ଏଠାରେ ପାନୀୟ ଜଳ, ଶୌଚାଳୟ, ରାସ୍ତାଘାଟ, ଦୋକାନ ଗୃହ କରିବାକୁ କୌଣସି କେବିନ ନିର୍ମାଣ ହୋଇପାରିନାହିଁ। ଫଳରେ ଏଠାକୁ ଆସୁଥିବା ଶହ ଶହ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ସମୟରେ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଖଡ଼ିଆଳ ତହସିଲଦାର ଏପରିକି ଖୋଦ ଜିଲାପାଳ ଏହାର ସ୍ଥାୟୀ ସମାଧାନ ପାଇଁ ଏହି ବସଷ୍ଟାଣ୍ଡକୁ ପରିଦର୍ଶନ କରିଛନ୍ତି। ହେଲେ ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଖଡ଼ିଆଳ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଆନ୍ଦୋଳନର ଦାନା ବାନ୍ଧୁଛି।

Share