ଧିମେଇ ଚାଲିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୋଠା ନିର୍ମାଣ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଚଣ୍ଡିଖୋଲସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏହାର ପରିବର୍ଦ୍ଧିତ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ଦୀର୍ଘ ୩ ବର୍ଷ ହେଲା ଚାଲିଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି। ଚାରବାଟିଆ ପୂର୍ତ୍ତବିଭାଗ ଅଧୀନରେ ବଡ଼ଚଣା ଉପଖଣ୍ଡ କାର୍ଯ୍ୟାଳୟ ଦ୍ୱାରା କରାଯାଉଥିବା ଏହି ନିର୍ମାଣର ମନ୍ଥର ଗତିକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ କାର୍ଯ୍ୟାଳୟ ସମ୍ପ୍ରସାରଣ ପାଇଁ ୨୦୨୦ ଜୁନ୍‌ରେ ୫୦ଲକ୍ଷ ୨୯ ହଜାର ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଥିଲା। ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚାଲିଥିଲା ବେଳେ ପୁର୍ତ୍ତବିଭାଗ ତରଫରୁ ଏହାକୁ ପୁନର୍ବାର ବଦଳାଇ ଦିଆଗଲା। ସେଥିପାଇଁ ୨୦୨୧ ଏପ୍ରିଲ ୧୫ରେ ଏହି କାର୍ଯ୍ୟାଳୟକୁ ୩ ମହଲା ବିଶିଷ୍ଟ କରାଯିବା ପାଇଁ ସ୍ଥିର କରାଗଲା। ସେଥିପାଇଁ ୪ କୋଟି ୬୨ଲକ୍ଷ ୫୦ହଜାର୧୬୭ଟଙ୍କା ବ୍ୟୟବରାଦ କରାଯାଇ ଚିଠା ପ୍ରସ୍ତୁତ କରାଗଲା। ଆଧୁନିକ ଶୈଳୀରେ ବିଲ୍‌ଡ଼ିଂର ନିର୍ମାଣ କରାଯିବ ବୋଲି ବିଭାଗ ତରଫରୁ କୁହାଯାଇ ଟେଣ୍ଡର କରାଯାଇଥିଲା ା ୨ବର୍ଷ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ା କାର୍ଯ୍ୟକୁ ନେଇଥିବା ଠିକାସଂସ୍ଥା ଅଦ୍ୟାବଧି ଏକ ମହଲା କାର୍ଯ୍ୟ ବି ଶେଷ କରିପାରି ନାହିଁ। ବିଭାଗ ତରଫରୁ ସମ୍ପୃକ୍ତ ସଂସ୍ଥାକୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ନାହିଁ। ୨୦୨୩ ଏପ୍ରିଲରେ କାମ ଶେଷ ହେବାର ନିୟମ ରହିଥିବା ବେଳେ ଅଦ୍ୟାବଧି ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ସରି ନାହିଁ। ୩ ମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟକୁ ଆଧୁନିକିକରଣ କରିବା ସହ ଲିଫ୍‌ଟ ବ୍ୟବସ୍ଥା ମଧ୍ୟ କରାଯିବାର ନିୟମ ରହିଛି। କୋଠାକୁ ସମ୍ପୂର୍ଣ୍ଣ ବିପଦମୁକ୍ତ କରିବା ପାଇଁ ଅଗ୍ନୀନିର୍ବାପକ ବ୍ୟବସ୍ଥା କରାଯିବ। ଏଥି ସହିତ ଅନ୍ତରୀଣ ବିଦ୍ୟୁତ୍‌ ସଂଯୋଗ ଓ ବାହାର ଆଲୋକୀକରଣ କରାଯିବ। କୋଠାର ଚତୁଃପାର୍ଶ୍ୱ ଆପ୍ରୋଚ ରୋଡ଼ ତିଆରିହେବା ସହିତ ଫୁଲ ବଗିଚା ରହିବ ା ହେଲେ ଇତିମଧ୍ୟରେ ଅବଧି ଶେଷ ହେବାକୁ ଆଉ ମାତ୍ର ୧ମାସ ବାକି ଥିବାବେଳେ ଅଦ୍ୟାବଧି ଏହାର ପ୍ରଥମ ମହଲାର ଛାତ ମଧ୍ୟ ପଡ଼ି ନାହିଁ। ତେଣୁ ୩ ତାଲା ବିଶିଷ୍ଟ ହେବାକୁ ଥିବା ଏହି କାର୍ଯ୍ୟାଳୟର ଶେଷ କେବେ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଏକ ସପ୍ତାହ ତଳେ ବିଭାଗୀୟ ଅଧୀଗ୍ରହଣ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଫେରି ଯାଇଛନ୍ତି। ତେବେ କେବଳ ଠିକା ସଂସ୍ଥାକୁ ତାଗିଦା କରି ଫେରିଯିବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଏସମ୍ପର୍କରେ ପୂର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସଙ୍କୁ ପଚାରିବାରେ ସେ କୁହନ୍ତି ମୁଁ ନୂଆ ଆସିଛି ତେଣୁ ସମ୍ପୂର୍ଣ୍ଣ ଭାବେ କାମ ବିଷୟରେ ଜାଣି ନାହିଁ ଖୁବ୍‌ ଶୀଘ୍ର ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ବୋଲି ସେ କହିଛନ୍ତି ା