ସୌରଶକ୍ତିଚାଳିତ ବ୍ୟାଟେରି ସାଇକେଲ ନିର୍ମାଣ

ଜଟଣୀ,୩।୩(ଡି.ଏନ.ଏ.): ଇଚ୍ଛାଶକ୍ତି ଥିଲେ ନିଶ୍ଚିତ କାର୍ଯ୍ୟ ସଫଳତା ହୋଇଥାଏ। ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଛାତ୍ରମାନେ। ଏହି ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ମିଳିତ ଭାବେ ଚେଷ୍ଟା କରି ଏକ ବ୍ୟାଟେରି ସାଇକେଲ ନିର୍ମାଣ କରିଛନ୍ତି। ଯାହାକି ସୌରଶକ୍ତି ଦ୍ୱାରା ଚାର୍ଜ ହୋଇ ଚାଲିପାରିବ। ଅଧ୍ୟାପକ ତଥା ଗବେଷକ ସ୍ମୃତିରଞ୍ଜନ ନାୟକଙ୍କ ମାର୍ଗଦର୍ଶନରେ ଉଭୟ ବିଦ୍ୟୁତ୍‌ ଏବଂ ସୌରଶକ୍ତି ଦ୍ୱାରା ପରିଚାଳିତ ଉକ୍ତ ସାଇକେଲ ନିର୍ମାଣ କରିଛନ୍ତି। ବର୍ତ୍ତମାନ ସମୟରେ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦର ବୃଦ୍ଧି ସହିତ ପରିବେଶ ପ୍ରଦୂଷଣ ରୋକିବାରେ ଉକ୍ତ ସାଇକେଲ ବେଶ୍‌ ସହାୟକ ହୋଇପାରିବ ବୋଲି ଗବେଷକ ସ୍ମୃତିରଞ୍ଜନ ନାୟକ ଆଶା ପୋଷଣ କରିଛନ୍ତି। ଏହାର ବହନ କ୍ଷମତା ୮୦ କିଲୋଗ୍ରାମ ଏବଂ ଥରେ ଚାର୍ଜ କରିଲେ ଘଣ୍ଟା ପ୍ରତି ୧୮.୫କିଲୋମିଟର ବେଗରେ ୪୬ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି ନିର୍ମାଣ କରିଥିବା ଛାତ୍ରମାନେ ଦାବି କରିଛନ୍ତି। ସାଇକେଲରେ ୨୫୦ ହର୍ସ ପାୱାରର ଏକ ମୋଟର, ଏକ କଣ୍ଟ୍ରୋଲର ଏବଂ ୧୨ ଭୋଲଟର ଦୁଇଟି ବ୍ୟାଟେରି ଲଗାଯାଇଛି। ବିଦ୍ୟାଳୟର ଛାତ୍ର ଆଶିଷ କୁମାର, ମନୀଷ କୁମାର, ହର୍ଷ, ଉତ୍କର୍ଷ, ରିୟାଜୁଲ ଏବଂ ଆକିବ ପ୍ରମୁଖ ଶେଷ ବର୍ଷ ଛାତ୍ରମାନେ ମିଳିତ ଭାବେ ଇକୋ ଫ୍ରେଣ୍ଡଲି ହୋଇ ଏହି ସାଇକେଲକୁ ନିର୍ମାଣ କରିଥିବାରୁ କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share