ପଦ୍ମପୁର, ୧୬।୧(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡାଠାରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ନିର୍ମାଣ କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି। ବିସ୍ଥାପିତମାନଙ୍କ ଦାବି ପୂରଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଜିଲାପାଳ ତ୍ରିଲୋଚନ ମାଝି, ଉପଜିଲାପାଳ ମନୋଜ କୁମାର ପାତ୍ର, ଏସ୍ପି ଚରଣ ସିଂ ମୀନା, ଡିଆଇବି ଡିଏସ୍ପି କମଳ ଲୋଚନ ଭୂୟାଁ, ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ପାଲ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ, ଚାନ୍ଦବାଲି ତହସିଲଦାର ସୁଶାନ୍ତ କୁମାର ସୂତାର, ନାୟକାଣିଡିହୀ ଥାନାଧିକାରୀ ସୁଶାନ୍ତ କୁମାର ମିଶ୍ର, ସରପଞ୍ଚଙ୍କ ପ୍ରତିନିଧି ତପନ କୁମାର ଭୂୟାଁ, ଭାଜପା ନେତା ମାଧବାନନ୍ଦ ମଲ୍ଲିକ, କଂଗ୍ରେସ ନେତା ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବିସ୍ଥାପିତମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦାବି ମୁତାବକ ପ୍ରତି ପରିବାରକୁ ୧୦ ଡିସିମିଲ ଜାଗା, ଏକ ଆବାସ ଗୃହ, ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଓ ଜୀବିକା ପ୍ରଭାବିତ ହେଉଥିବା ବିସ୍ଥାପିତମାନଙ୍କ ପରିବାରର ଜୀବିକା ଅର୍ଜନ ଲାଗି ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରାଯାଇଥିଲା। ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଏୟାରଷ୍ଟ୍ରିପ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏୟାରଷ୍ଟ୍ରିପ୍ କାର୍ଯ୍ୟ ସୂଚାରରୂପେ ପରିଚାଳନା ପାଇଁ ନୋଡାଲ ଅଫିସର ଭାବେ ଚାନ୍ଦବାଲି ତହସିଲଦାର ସୂତାରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥାନୀୟ ଜନସାଧାରଣ ଜିଲାର ବୃହତ୍ ସ୍ବାର୍ଥ ତଥା ଅଞ୍ଚଳର ବିକାଶ ପାଇଁ ଏହି ନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରଶାସନ ଅନୁରୋଧ କରିଛି।