ଖୁବ୍‌ଶୀଘ୍ର ଜଟାଧାର ମୁହାଣ ଇସ୍ପାତ ପ୍ରକଳ୍ପ ନିର୍ମାଣ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣରେ ଜେଏସ୍‌ଡବ୍ଲ୍ୟୁ ୧୩.୨ ନିୟୁତ ଟନର ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୧୦ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଓଡିଶାରେ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିବ। ଏଥିସହିତ ପିପିପି ମୋଡରେ ଜେଏସ୍‌ଡବ୍ଲ୍ୟୁ ରାଜ୍ୟରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଏବଂ ସୁନ୍ଦରଗଡ ଜିଲାର କୋଏଡାଠାରେ ଏକ ସ୍କୁଲ ସ୍ଥାପନ କରିବ। ଏହାଦ୍ୱାରା ଖଣି ଅଞ୍ଚଳର ଲୋକମାନେ ଉପକୃତ ହୋଇପାରିବେ। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ସୋମବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଜେଏସ୍‌ଡବ୍ଲ୍ୟୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏହି ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଇସ୍ପାତ ପ୍ରକଳ୍ପ ପାଇଁ ଜମି, ଜଳ ଓ ବିଦ୍ୟୁତ ଯୋଗାଇ ଦେଇଛନ୍ତି। ଏହି ପ୍ରକଳ୍ପ ଯଥାଶ୍ରୀଘ୍ର ଆରମ୍ଭ ହେବା ନେଇ ରାଜ୍ୟ ସରକାର ମଧ୍ୟ ଆଶାବାଦୀ ଅଛନ୍ତି। ଆଲୋଚନା ବେଳେ ରାଜ୍ୟର ସମ୍ପଦକୁ ମୂଲ୍ୟଯୁକ୍ତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜସ୍ବ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିବାକୁ ଚାହିଁବାରୁ ଜିନ୍ଦଲ କହିଥିଲେ ଯେ, ଓଡ଼ିଶାରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଜେଏସ୍‌ଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ। ସମସ୍ତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳୁଥିବାରୁ ଜିନ୍ଦଲ ସନ୍ତୋଷ ପ୍ରକାଶ କରିଛନ୍ତି। ଏହାଛଡ଼ା ସଜ୍ଜନ ଜିନ୍ଦଲ କହିଥିଲେ ଯେ, ‘ଜେଏସ୍‌ଡବ୍ଲ୍ୟୁ ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜ ଫର ଓଡ଼ିଶା’ ପାଇଁ ‘ଜେଏସଡବ୍ଲ୍ୟୁ ଆଇଆଇଏମ୍‌ ସମ୍ବଲପୁର’ ସହ ସହବନ୍ଧିତ ହେବ। ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ, ସିଏମ୍‌ଡି ଇପିକଲ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ପ୍ରମୁଖ ଉପସ୍ଥିତ ଥିଲେ।

Share